ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ କନ୍ଫେଡେରେସନ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ବା ଭାରତୀୟ ଶିଳ୍ପ ମହାସଂଘ (CII) ସାମିଲ ନହେବା ନେଇ ବିବାଦ। ଏନେଇ CIIର ଇଷ୍ଟର୍ଣ୍ଣ ରିଜିଅନ୍ ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡାଙ୍କୁ ଦାୟୀ କରିଛି ବିଜେଡି। ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ସହଯୋଗ ପାଇଁ CII ଗତ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସରକାରଙ୍କ ସହ ଯୋଗସୂତ୍ରରେ ଥିଲା। ତେବେ ଜଗି ମଙ୍ଗତ ଇଷ୍ଟର୍ଣ୍ଣ ରିଜିଅନ୍ ଅଧ୍ୟକ୍ଷା ହେବା ପରେ CII ଏଭଳି ମନୋଭାବ ରଖୁଥିବା ଦଳ ଅନୁଭବ କରୁଛି ବୋଲି ଦଳୀୟ ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି। ଏହା ନିନ୍ଦନୀୟ ବୋଲି ସସ୍ମିତ୍ କହିଛନ୍ତି।
ତେବେ ବିଜେଡିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି CII ଇଷ୍ଟର୍ଣ୍ଣ ରିଜିଅନ୍ ଅଧ୍ୟକ୍ଷା ଜଗି ମଙ୍ଗତ୍ ପଣ୍ଡା। ସେ ଏବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ସହ ହୋଇଥିବା ଆଲୋଚନାରେ ସେ ଆଦୌ ସଂଶ୍ଳିଷ୍ଟ ନଥିଲେ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ସେ CIIର ଷ୍ଟେଟ୍ କମିଟିର ସଦସ୍ୟ ମଧ୍ୟ ନାହାନ୍ତି ବୋଲି କହିଛନ୍ତି । ଓଡ଼ିଶା ସଂପର୍କିତ ସମସ୍ତ ନିଷ୍ପତ୍ତି ଷ୍ଟେଟ୍ କାଉନସିଲର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନେଇ ଥାଆନ୍ତି।
ବିଗତ ଅନେକ ବର୍ଷ ଧରି CIIର ଓଡ଼ିଶା ବ୍ୟାପାର ସହ ତାଙ୍କର କୌଣସି ସଂପର୍କ ନାହିଁ। CIIର ରାଜ୍ୟ ଅଫିସ୍, ସରକାରଙ୍କ ସହ ଉତ୍ତମ ସହଯୋଗ ରଖି କାମ କରେ ଏବଂ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍କୁ ସଫଳ କରିବା ଲାଗି ସମସ୍ତ ସହଯୋଗ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେପଟେ CII ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଅରୁଣ ମିଶ୍ର ଓ ଉପାଧ୍ୟକ୍ଷ ସୁବ୍ରତ ଷଡ଼ଙ୍ଗୀ ଆଜି ନିଜ ପଦରୁ ଇସ୍ତଫା ଦେଇଥିବା ଫୋନ୍ରେ ଓଟିଭିକୁ ସ୍ପଷ୍ଟ କରିଛନ୍ତି। ତେବେ ବିଜେଡିର ଅଭିଯୋଗ ନେଇ CII ଓଡ଼ିଶା ଚାପ୍ଟରର ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।