ଅଟକ ଗୋଚାଲାଣ ଗାଡ଼ିକୁ ମୁକୁଳାଇବାକୁ ପହଞ୍ଚିଲେ ଶତାଧିକ ଯୁବକ, ତା’ ପରେ…

ଭଦ୍ରକ(ପାର୍ଥସାରଥୀ ନାୟକ):ବେଆଇନ ଗୋଚାଲାଣକୁ ନେଇ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ଏସ୍କର୍ଟ ପାର୍ଟିଙ୍କ ଆକ୍ରମଣରେ ଗୋସୁରକ୍ଷା ସମିତିର ୩  କର୍ମକର୍ତ୍ତା ଗୁରୁତର ହୋଇଥିବା ସୂଚନା ମିଳିଛି । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ରାଣିତାଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଯାଇଛି।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥରେ କଣ୍ଟେନର ଦ୍ୱାରା ବେଆଇନ ଗୋ ଚାଲାଣ ହେଉଥିବା ଖବର ପାଇ ଗୋସୁରକ୍ଷା ସମିତିର କର୍ମକର୍ତ୍ତା ରାଣୀତାଲ ନିକଟରେ ୩ଟି କଣ୍ଟେନର ଅଟକାଇଥିଲେ । କଣ୍ଟେନର ଅଟକାଇବା ପରେ ପ୍ରାୟ ୧୦ଟି ଗାଡ଼ିରେ ଏସ୍କର୍ଟ ପାର୍ଟିର ଶତାଧିକ ଯୁବକ ପହଞ୍ଚିଥିଲେ। ସେମାନେ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ  ଆକ୍ରମଣ କରି ଗୋଟିଏ କଣ୍ଟେନର ଛଡାଇନେଇଥିଲେ । ଅନ୍ୟ ଗୋଟିଏ କଣ୍ଟେନର ପଳାଇଯାଉଥିବା ବେଳେ କର୍ମକର୍ତ୍ତାମାନେ ମଇତାପୁର ନିକଟରେ ଅଟକାଇଥିଲେ । ଆକ୍ରମଣରେ ୩ ଜଣ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତା ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ପୁଲିସ୍‌ ଦୁଇଟି କଣ୍ଟେନର ଜବତ କରିଥିବା ସୂଚନା ମିଳିଛି । ତେବେ ଦୁଇ କଣ୍ଟେନରରେ ୨୦୦ ରୁ ଅଧିକ ଗୋରୁ ଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।