ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ଏଫ୍ଆଇଆର୍ ଅଫିସର ଅସଲି ଲୁଟ୍। ନିଜକୁ ଆର୍ପିଏଫ୍ ଅଧିକାରୀ କହି ଜଣେ ଲୁଟେରା ରେଳବାଇ କର୍ମଚାରୀଙ୍କ ଘରୁ ୧୫ ଭରି ସୁନା ଲୁଟି ନେଲେ। ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଆଜି ଏପରି ଲୁଟ୍ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରେଲେଓ୍ୱ ଷ୍ଟାଫ୍ କ୍ୱାର୍ଟର୍ସରେ ରୁହନ୍ତି ଶ୍ରୀନିବାସ ରାଓ। ସେ ରେଳ ବିଭାଗରେ ଖଲାସି ଭାବେ କାମ କରନ୍ତି। ଆଜି ମଧ୍ୟାହ୍ନରେ ଶ୍ରୀନିବାସ ବାବୁ ଘରେ ନଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ନିଜକୁ ଆରପିଏଫ୍ ଅଫିସର ପରିଚୟ ଦେଇ ତାଙ୍କ ଘରକୁ ଯାଇଥିଲେ। ତାଙ୍କ (ଶ୍ରାନିବାସ)ଙ୍କ ବିରୋଧରେ ରେଲେଓ୍ୱ ପକ୍ଷରୁ ମାମଲା ହୋଇଛି, ଆକ୍ସନ୍ ନିଆଯିବ କହି ଘର ସର୍ଚ୍ଚ କରିଥିଲେ। ଆର୍ପିଏଫ୍ ବେଶରେ ଆସିଥିବା ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ପରିବାର ଲୋକେ ଘରର ସାମଗ୍ରୀ ସବୁ କଢାକଢି କରିଥିଲେ। ଏହାପରେ ଲୁଟେରା ଗହଣା ସହିତ ଶ୍ରୀନିବାସଙ୍କ ପୁଅ ଝିଅଙ୍କୁ ଗାଡିରେ ବସାଇ ବାପା ଶ୍ରାନିବାସଙ୍କ ପାଖକୁ ନେବାକୁ କହି ତାଙ୍କ ସହ ବାଇକରେ ନେଇଯାଇଥିଲେ। କିଛି ବାଟ ଗଲାପରେ ସେମାନଙ୍କୁ ବାଟରେ ଛାଡି ସୁନା ଧରି ଚମ୍ପଟ ମାରିଥିଲେ।
ନକଲି ବେଶରେ ଆସିଥିବା ଲୁଟେରା, ଶ୍ରୀନିବାସ ରାଓଙ୍କ ଘରୁ ଲୁଟ୍ କରିବା ପୂର୍ବରୁ ଆଉ ଜଣଙ୍କ ଘରକୁ ଯାଇଥିଲେ। ସେଠି କିନ୍ତୁ ସଫଳ ହୋଇପାରିନଥିଲେ। ତା’ପରେ ସେ ରେଳ କର୍ମଚାରୀ ଶ୍ରୀନିବାସଙ୍କ ଘରକୁ ଟାର୍ଗେଟ କରିଥିଲେ। ଆଉ ସଫଳ ମଧ୍ୟ ହୋଇଥିଲେ। ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ଖୋଳତାଡ ଆରମ୍ଭ କରିଥିଲେ ମଧ୍ୟ ଏଯାଏଁ ଲୁଟେରାକୁ ଠାବ କରିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।