ମନ୍ଦିର ଭିତରେ ନିଆଁ ଲଗାଇ ଦେଲେ ପୂଜାରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ପୂଜାରୀଙ୍କ ଉନ୍ମତ୍ତ କାଣ୍ଡ। ମନ୍ଦିରକୁ ପୂଜା କରିବାକୁ ଆସି କଲ୍ୟାଣ ମଣ୍ଡପରେ ପଡ଼ିଥିବା ଦୁଇଟି ସୋଫାରେ ନିଆଁ ଲଗାଇ ଦେଇ ପଳାଇଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁରରେ।

ପୂଜାରୀ ଜଣଙ୍କ ମନ୍ଦିରରେ ଜଳୁଥିବା ଦୀପ ଆଣି ସୋଫାରେ ନିଆଁ ଲଗାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଦୁଇଟି ସୋଫା ସମ୍ପୂର୍ଣ୍ଣ ଜଳି ଯାଇଛି। ଉକ୍ତ ପୂଜାରୀଙ୍କ ନାଁ ରାମଚନ୍ଦ୍ର ବେହେରା। ସେ ମା’ କୁଠାରୀ ମନ୍ଦିରରେ ପୂଜା କରନ୍ତି।

ପ୍ରତିଦିନ ପରି ଆଜି ଭୋରରୁ ରାମଚନ୍ଦ୍ର ମନ୍ଦିରକୁ ପୂଜା କରିବା ପାଇଁ ଆସିଥିଲେ। ପୂଜା କରିବା ପରେ ସେ ମନ୍ଦିରରେ ଜଳୁଥିବା ଦୀପ ଆଣି ମନ୍ଦିର ପରିସରରେ ଥିବା  କଲ୍ୟାଣ ମଣ୍ଡପରେ ପଡ଼ିଥିବା ଦୁଇଟି ସୋଫାରେ ଜଳନ୍ତା ଦୀପକୁ ପକାଇ ଦେଇ ପଳାଇ ଯାଇଥିଲେ।

ଏହାପରେ ସୋଫାଟି ହୁତୁହୁତୁ ହୋଇ ଜଳି ଉଠିଥିଲା। ଏହି ସମୟରେ ଜଣେ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଥିଲେ। ସୋଫାଟି ଜଳୁଥିବା ଦେଖିଥିଲେ ପାଖ ଦୋକାନୀଙ୍କୁ ଡାକିଥିଲେ। ଶ୍ରଦ୍ଧାଳୁ ଓ ଦୋକାନୀମାନେ ମିଶି ନିଆଁକୁ ଆୟତ୍ତ କରିଥିଲେ। ଏହି ସମୟରେ ମନ୍ଦିର ଭିତରେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଥିଲେ। ଏନେଇ ପୂଜାରୀଙ୍କ ନାଁରେ ମନ୍ଦିର କମିଟିଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ପୂଜାରୀ ଜଣଙ୍କ କାହିଁକି ଏପରି କଲେ ତା’ର କାରଣ ଜଣାପଡ଼ିନାହିଁ। ରାମଚନ୍ଦ୍ର ସୋଫାରେ ନିଆଁ ଲଗାଉଥିବା ଦୃଶ୍ୟ ମନ୍ଦିରରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।