ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ମିଳିବ ମାଗଣା ପେଟ୍‌ ସିଟିସ୍କାନ୍‌ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ସ୍ନାତକୋତ୍ତର ପ୍ରତିଷ୍ଠାନରେ ଏଣିକି ମାଗଣାରେ ବ୍ୟୟବହୁଳ ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ । କ୍ୟାନସର ରୋଗୀମାନଙ୍କ ପାଇଁ ଏଠାରେ ଅଧିକ ସଂଖ୍ୟକ ବେଡ୍ ବ୍ୟବସ୍ଥା ହେବା ସହ ମାଗଣାରେ ବ୍ୟୟବହୁଳ ପେଟ୍ ସିଟି ସ୍କାନ, ଏମଆରଆଇ ଓ ସିଟି ସ୍କାନ ଟେଷ୍ଟିଂ ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବ୍ୟୟବହୁଳ ପେଟ୍ ସିଟି ସ୍କାନ ସୁବିଧାକୁ ଉଦଘାଟନ କରିଛନ୍ତି । କ୍ୟାନସର ଚିକିତ୍ସା କ୍ଷେତ୍ରରେ କୌଣସି ସରକାରୀ ହସ୍ପିଟାଲରେ ମାଗଣା ପେଟ୍ ସିଟିସ୍କାନ ବ୍ୟବସ୍ଥା ଉପଲବ୍ଧ କରାଇବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ।

ମୁଖ୍ୟମନ୍ତ୍ରୀ ଆଜି ଏହି କ୍ୟାନର ପ୍ରତିଷ୍ଠାନର ନୂଆ ଆଇପିଡି ଓ ଆଇସିୟୁ ସୁବିଧାର ଉଦଘାଟନ କରିଛନ୍ତି । ଆଇପିଡି ବେଡ୍ ସଂଖ୍ୟା ୨୮୧ରୁ ୫୦୭କୁ ବୃଦ୍ଧି ପାଇଥିବାବେଳେ ୨୦ଟି ନୂଆ ଆଇସିୟୁ ବେଡ୍ ସ୍ଥାପନ କରାଯାଇଛି । ଏସବୁ ସୁବିଧା ଦ୍ୱାରା ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରେ ଚିକିତ୍ସା ଯୋଗାଇବା ଅଧିକ ସହାୟକ ହେବ ଓ ରୋଗୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏସସିବି ମେଡିକାଲ କଲେଜ ପୁନଃବିକାଶ ଓ ସମ୍ପ୍ରସାରଣ ଯୋଜନା ଅନ୍ତର୍ଗତ ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ମଧ୍ୟ ନବକଳେବର ହେବ । କ୍ୟାନସର ପ୍ରତିଷ୍ଠାନ ପାଇଁ ନୂଆ ଓଟି କମ୍ପେ୍ଲକ୍ସ, ଓପିଡି, ପାଥୋଲୋଜି, ଏକାଡେମିକ ଅଂଚଳ ଓ ହଷ୍ଟେଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟରେ କ୍ୟାନସର ଚିକିତ୍ସାକୁ ଅଧିକ ସୁଲଭ କରିବା ନିମନ୍ତେ ୧୦ଟି ଜିଲ୍ଲାରେ କ୍ୟାନସର କେୟାର ୟୁନିଟ୍ ସ୍ଥାପନକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ବରଗଡ଼ ଓ ଝାରସୁୁଗୁଡ଼ା ଜିଲ୍ଲାରେ ମଧ୍ୟ ୨ଟି ଉନ୍ନତ କ୍ୟାନସର ହସ୍ପିଟାଲ ସ୍ଥାପନ ହେବାକୁ ପଦକ୍ଷେପ ନିଆଯାଇଛି । ଏସବୁ ଦ୍ୱାରା ପୂର୍ବ ଭାରତରେ ଓଡ଼ିଶା କ୍ୟାନସର ଚିକିତ୍ସାର ହବ୍ ପାଲଟିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ନୂଆ ପେଟ୍ ସିଟି ସ୍କାନ ନିମନ୍ତେ ୨ଟି ଲିନାକ୍ ମେସିନ୍ ୬୦କୋଟି ଟଙ୍କା ବ୍ୟୟରେ ସେଠାରେ ଉପଲବ୍ଧ କରାଯାଇଛି । ପେଟ୍ ସିଟି ସ୍କାନ ନିମନ୍ତେ ରୋଗୀଙ୍କୁ ବାହାରେ ୨୫ରୁ ୩୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନରେ ୬ମହଲା ବିଶିଷ୍ଟ କୋଠା ନିର୍ମାଣ କରାଯାଇ ବେଡ୍ ସଂଖ୍ୟାକୁ ୫୦୭କୁ ବୃଦ୍ଧି କରାଯାଇଛି । ପ୍ରଥମ ମହଲରେ ପେଟ୍ ସିଟି ସ୍କାନ, ଦ୍ୱିତୀୟ ମହଲରେ ସିଟି ସ୍କାନ ଓ ଏମଆରଆଇ ସୁବିଧା ରହିଛି । ତୃତୀୟ ମହଲାରେ ଆଇସିୟୁ ୱାର୍ଡ ରହିଥିବା ଜଣାପଡ଼ିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।