ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଲାଭ କ୍ଷତିକୁ ନେଇ ଚାଲିଛି ଅଙ୍କକଷା

ଭୁବନେଶ୍ୱର: ୧୫ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଦୁଇଥର ଓଡ଼ିଶା ଆସିଲେ। ରାଜ୍ୟକୁ ଜଣକ ପରେ ଜଣେ କେନ୍ଦ୍ର ମନ୍ତ୍ରୀ ଆସୁଛନ୍ତି। ଯାହାକୁ ନେଇ ରାଜ୍ୟ ବିଜେପି ଶାଖାରେ ଉତ୍ସାହ ଦେଖିବାକୁ ମିଳିଛି। ହେଲେ ଏଥିରୁ ରାଜ୍ୟ ବିଜେପିକୁ କେତେ ଫାଇଦା ମିଳିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବରଗଡ଼ ଚାଷୀ ସମାବେଶରେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ପାଇଁ କୌଣସି ପ୍ୟାକେଜ ଘୋଷଣା କଲେ ନାହିଁ। ରାଜ୍ୟ ସରକାରଙ୍କୁ ମଧ୍ୟ ପଦୁଟିଏ କହିଲେ ନାହିଁ। ଏହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପଶ୍ଚିମ ଓଡ଼ିଶାରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ବିଜେଡି କହିଛି।

ବରଗଡ଼ ଚାଷୀ ସମାବେଶ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ରାଜ୍ୟ ବିଜେପି ନେତାମାନେ ଗର୍ଜି ଥିଲେ। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କ ବିରୋଧରେ କିଛି ବି କହିଲେ ନାହିଁ। ଚାଷୀଙ୍କ ନିକଟତର ହେବା ପାଇଁ ଦଳ ଯେଉଁ ପ୍ରୟାସ କରିଛି ସେଥିରେ କେତେ ସଫଳ ହେଉଛି ତାହା ଆଗକୁ ଜଣାପଡିବ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, “ମୋଦି ଆସିବେ, ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିବେ ବୋଲି ଦଳ ଆଶା କରୁଥିଲା। ହେଲେ ପ୍ରଧାନମନ୍ତ୍ରୀ ରାଜ୍ୟ ବିଜେପିକୁ ଥଣ୍ଡା କରି ଚାଲିଗଲେ। ବିଜେପି ପାଇଁ ଏହା କ୍ଷତି ହୋଇଛି। ଦଳ ରାଜ୍ୟରେ ସମ୍ପୂର୍ଣ୍ଣ ସଫା ହୋଇଗଲା ବୋଲି କହିଲେ ଭୁଲ ହେବନାହିଁ।”

ବିଜେଡି ମୁଖପାତ୍ର ରବିନାରାୟଣ ନନ୍ଦ କହିଛନ୍ତି, “କୃଷକ ଓ ତାଙ୍କ ସମସ୍ୟା ନବୀନ ବାବୁ ଠିକ୍‌ ଭାବେ ବୁଝୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ହୃଦୟଙ୍ଗମ କରିଛନ୍ତି।  ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି କହିଲେ ନାହିଁ। ପଶ୍ଚିମ ଓଡ଼ିଶାରେ  ପ୍ରଧାନମନ୍ତ୍ରୀଙ୍କ ଗସ୍ତର କିଛି ପ୍ରଭାବ ପଡିବ ନାହିଁ।”

ବିଜେପି ରାଜ୍ୟ ଶାଖା ମରୁଡି ଓ ଚାଷୀ ଆତ୍ମହତ୍ୟ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା। ବିଭିନ୍ନ ସମୟରେ ପ୍ରତିବାଦ ବି କରିଥିଲା। ପ୍ରଧାନମନ୍ତ୍ରୀ ଚାଷୀ ସମାବେଶରେ ଯୋଗ ଦେବା ପରେ ବିଜେପି ରାଜ୍ୟ ଶାଖା କେଉଁ ଦିଶାରେ ଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା, ପାରାଦୀପରେ ନୀରବତା ଆଉ ଏବେ ବରଗଡ଼ରେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି ନ କହିବା ରାଜ୍ୟ ରାଜନୀତିରେ ପୁଣି ବିଜେପି-ବିଜେଡି ଭିତିରି ସମ୍ପର୍କ ଥିବା ଚର୍ଚ୍ଚା ହେଉଛି।