ରାଜ୍ୟବାସୀଙ୍କୁ ଶ୍ରେୟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ସେମାନଙ୍କ ପାଇଁ ଆମେ କରୋନାକୁ ନିୟନ୍ତ୍ରଣ କରି ପାରିଲୁ। ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ସହ ମହାବିପର୍ଯ୍ୟୟକୁ ଅଟକାଇ ପାରିଲୁ।” ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଦେଶରେ କରୋନା ସ୍ଥିତି ନେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନ୍‌ଫେରେନ୍ସିଂରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଟେଷ୍ଟିଂ ବଢ଼ାଇବା ପାଇଁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ସହରରୁ ଯେମିତି ସଂକ୍ରମଣ ଗାଁକୁ ନବ୍ୟାପେ ସେଥିପାଇଁ ଟେଷ୍ଟ, ଟ୍ରାକ ଓ ଟ୍ରିଟ୍‌କୁ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଓଡ଼ିଶା ଓ ବିହାରରେ ଆଣ୍ଟିଜେନ ଟେଷ୍ଟ ଅଧିକ ହେଉଥିବାରୁ ସେଠି RTPCR ଟେଷ୍ଟକୁ ପ୍ରାଧାନ୍ୟ ଦେବାକୁ କହିଛନ୍ତି।

କରୋନା ଭ୍ୟାକସିନର ଶୂନ ଅପଚୟକୁ ନିଶ୍ଚିତ କରିବା ସଭିଙ୍କ ଦାୟିତ୍ୱ। ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ କ୍ଷୂଣ୍ଣ କରିବା ସହ ସମାନ ବୋଲି କହିବା ସହ ମିଶନ ମୋଡ୍‌ରେ କାମ କଲେ ଟିକା ଅପଚୟ କମିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲେ ମହାରାଷ୍ଟ୍ର ଓ ଗୁଜରାଟରେ ମହାମାରୀ କରୋନା କଡ଼ ଲେଉଟାଇଛି। ଯାହାକୁ ଦେଖି ରାଜ୍ୟ ସରକାର କେତେକ ସହରରେ ନାଇଟକର୍ଫ୍ୟୁ ଓ ଲକଡାଉନ ଲାଗୁ କରିଛନ୍ତି। ଯାହାଫଳରେ ସେଠାରେ ବିଭିନ୍ନ କାରଖାନାରେ କାର୍ଯ୍ୟରତ ଓଡ଼ିଆଙ୍କ ପାଇଁ ସମସ୍ୟା ବଢିଛି। ବର୍ଷେ ତଳେ ଯମ ଯନ୍ତ୍ରଣା ଭୋଗି ପ୍ରାୟ ୧୧ ଲକ୍ଷ ଓଡ଼ିଆ ରାଜ୍ୟକୁ ଫେରିଥିଲେ। ୮ରୁ ୯ ମାସ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ବାହୁଡ଼ିଥିଲେ। ହେଲେ ପୁଣି କରୋନା ନାଲି ଆଖି ଦେଖାଇବାରୁ ଚିନ୍ତା ପଡ଼ିଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।