ଶରଧା ବାଲିରେ ତିନି ରଥ ପହଞ୍ଚିବା ପରେ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ କଟକଣା ଭିତରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ତିନିରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧା ବାଲିରେ ପହଞ୍ଚିବା ପରେ ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ସାଧୁବାଦ ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି, କୋଭିଡ୍ କଟକଣା ମଧ୍ୟରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି, ତାହା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ପୁରୀବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

ସେପଟେ ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ପୁରୀ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ DGP ଅଭୟ। କଟକଣା ମାନି ସମସ୍ତେ ଘର ଭିତରେ ରହିଥିବାରୁ ଧନ୍ୟବାଦ ଜଣାଇଲେ। ସେବାୟତ ଓ ପୁଲିସଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ପୁଲିସ ମହାନିର୍ଦ୍ଦେଶକ।

ଘୋଷଯାତ୍ରାରେ ପ୍ରତିବର୍ଷ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀଜିଉଙ୍କ ଦର୍ଶନ କରିଥାନ୍ତି। ତେବେ ଗଲା ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ କରିପାରିନଥିବାରୁ ଟେଲିଭିଜନ ପରଦାରେ ତିନିଠାକୁରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।