‘ସୁକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ନା ପାଣ୍ଡିଆନ୍‌ଙ୍କ ସିକ୍ୟୁରିଟି’?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ, ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ ନେଇ କିଛିଦିନ ହେବ ରାଜ୍ୟ ରାଜନୀତିରେ ଉଠିଛି ଝଡ଼। ଏହାକୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେବାର ଲାଗିଛି। ମୁଖ୍ୟମନ୍ତ୍ରୀ ପାଣ୍ଡିଆନ୍‌ଙ୍କ ବିରୋଧରେ ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ରମାରଂଜନ ବଳିଆରସିଂହ ଏବଂ ବଙ୍କେଇ ତେଢ଼େଇ ଦାମୋଦର ରାଉତ ଅଭିଯୋଗ ଆଣିଥିଲେ। ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ ସୁକାନ୍ତ ପଣ୍ଡାଙ୍କୁ ବିଜେପିର ଉପସଭାପତି ସମୀର ମହାନ୍ତି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି- ସଚିବାଳୟରେ ସାମ୍ବାଦିକଙ୍କ ପ୍ରବେଶକୁ  ନେଇ ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀଙ୍କ ଆଚରଣ ଦୁଃଖଦାୟକ ଓ ନିନ୍ଦନୀୟ। ସୁକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ପିଆରଓ ନା ପାଣ୍ଡିଆନଙ୍କ ସୁରକ୍ଷା କର୍ମୀ? ଏହା ସ୍ପଷ୍ଟ ହେବା ଦରକାର।”

ସେ ଆହୁରି କହିଛନ୍ତି- “ସୁକାନ୍ତ ପଣ୍ଡା ଜନ ସଂପର୍କ ଛାଡ଼ି କାହିଁକି ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି?

ସମୀର କହିଛନ୍ତି- ପୂର୍ବରୁ ସୁକାନ୍ତ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଗଣମାଧ୍ୟମରେ ଯେଉଁ ପ୍ରଚାର କରିଥିଲେ, ସେ ସମ୍ପର୍କରେ ବିଜେପି ମୁଖ୍ୟ ଶାସନ ସଚିବଙ୍କୁ ତଥ୍ୟ ପ୍ରମାଣ ଦେଇ ଅଭିଯୋଗ କରିଥିଲା। କିନ୍ତୁ ମୁଖ୍ୟ ଶାସନ ସଚିବ କାହା ଚାପରେ ନିରବ ରହିଲେ  ତାହା ସ୍ପଷ୍ଟ ହେବା ଦରକାର!

ସୂଚନାଯୋଗ୍ୟ- ଦୁଇଦିନ ତଳେ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ମତାମତ ନେବାକୁ ଉଦ୍ୟମ କରିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ସୁକାନ୍ତ ପଣ୍ଡା ସାମ୍ବାଦିକମାନଙ୍କୁ ଓ କ୍ୟାମେରା ମ୍ୟାନ୍‌ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଓ ସେଥିରୁ ସମସ୍ତଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା।