ଅଚାନକ ଜେଲ୍‌ ପରିଦର୍ଶନ କରିବେ ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଚାନକ ଜେଲ୍‌ ପରିଦର୍ଶନ କରିବେ ଜିଲ୍ଲାପାଳ। ଏପରି ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ମାସେ ଭିତରେ ଜେଲ୍‌ ପରିଦର୍ଶନ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶରେ ଦେଇଛନ୍ତି।

ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଆଜି ଓଡ଼ିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ସମ୍ପର୍କିତ ନିର୍ଦ୍ଦେଶାବଳୀ କିଭଳି କଡାକଡି ପାଳନ କରାଯିବ ସେ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରିକରିଛନ୍ତି। ଜିଲ୍ଲାପାଳଙ୍କୁ ଅଚାନକ ଜେଲ୍ ପରିଦର୍ଶନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଏପ୍ରିଲ ୧୬ ଭିତରେ ଜେଲ୍‌ ପରିଦର୍ଶନ ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳମାନେ ନିଜ ଅଞ୍ଚଳରେ ଥିବା ସମସ୍ତ ଜେଲ୍‌ ପରିଦର୍ଶନ କରି ଜେଲ୍‌ର ଭିତ୍ତିଭୂମି, ଅନ୍ତେବାସୀଙ୍କ ଅବସ୍ଥା, ଖାଦ୍ୟ, ଆବାସ ଓ ଚିତ୍ତବିନୋଦନ ପ୍ରସଙ୍ଗରେ ଅନୁଧ୍ୟାନ କରିବେ।

ସେହିପରି ରାଜ୍ୟର ସମସ୍ତ ଜିଲ୍ଲା କାରାଗାର ଓ ଉପ କାରାଗାରରେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସରକାର ପଦେକ୍ଷପ ନେବାକୁ କୋର୍ଟ କହିଛନ୍ତି। ସିସିଟିଭି ଲଗାଇବା ପ୍ରସଙ୍ଗରେ ତ୍ୱରିତ ପଦେକ୍ଷପ ନେବାକୁ ରାଜ୍ୟ ସରକାର ଓ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଛୋଟ ଅପରାଧରେ ଲିପ୍ତ ଥାଇ ଜାମିନ ପାଇଥିଲେ ମଧ୍ୟ ଅର୍ଥାଭାବରୁ ଜେଲରୁ ମୁକୁଳି ପାରୁ ନଥିବା ଅନ୍ତେବାସୀଙ୍କ ବାବଦରେ ମଧ୍ୟ ତଥ୍ୟ ମାଗିଛନ୍ତି ହାଇକୋର୍ଟ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।