ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଛାତ୍ରୀଙ୍କ ଅଶ୍ଳୀଳ ଫଟୋ

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ): ଦିନକୁ ଦିନ ବଢ଼ି ଚାଲିଛି ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ହେବା ଘଟଣା। ଅନେକ ସଚେତନତା ସତ୍ତ୍ୱେ ଏହା ଥମିବାର ନାଁ ନେଉନାହିଁ। ପୁଣି ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ ହୋଇଛି। ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ।

ଗତ ୨ ଦିନ ହେବ ଏହି ଅଶ୍ଳୀଳ ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ରାଜନଗର ବ୍ଲକ୍‌ ପେଣ୍ଠ ବେଳାଭୂମିରେ ଏହି ଫଟୋ ଉଠାଯାଇଛି। ଏନେଇ ଗତକାଲି ଛାତ୍ରୀଙ୍କ ବାପା  ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ପହିଲି ରଜ ଦିନ ତାଙ୍କ ଝିଅ ତା’ର ଜଣେ ସାଙ୍ଗ ସହିତ ପେଣ୍ଠ ବେଳାଭୂମିକୁ ବୁଲିବାକୁ ଯାଇଥିଲା। ବର୍ଷା ହେବାରୁ ସେମାନେ ନିକଟରେ  ଥିବା ଏକ ମନ୍ଦିରକୁ ଯାଇ ସେଠାରେ ଥିବା ନଳକୂଅରେ ଗୋଡ଼ ହାତ ଧୁଆଧୋଇ ହୋଇ ବସିଥିଲେ। ଏହି ସମୟରେ ୮ରୁ ୧୦ ଜଣ ଯୁବକ ଆସି ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଏକୁଟିଆ ପାଇ ଉକ୍ତ ଯୁବକମାନେ ପ୍ରଥମେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ପରେ ଜୋର ଜବରଦସ୍ତ ଝିଅର ଡ୍ରେସ୍‌ ଖୋଲି ଦେଇଥିଲେ। ତାକୁ ଦୁଷ୍କର୍ମ କରିବାକୁ  ଉଦ୍ୟମ କରିଥିଲେ। ବିରୋଧ କରିବାରୁ  ଝିଅ ଓ ତା ସାଙ୍ଗକୁ ସେମାନେ ମାଡ଼ ମାରିଥିଲେ। ଏହାସହ ସେମାନଙ୍କର ଭିଡିଓ ରେକଡିଂ କରିଥିଲେ। ପରେ ଗାଡି ଚାବି ଓ ଟଙ୍କା ନେଇ ସେଠାରୁ ପଳାଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜିତୁ ସ୍ୱାଇଁ ନାମକ ଜଣେ ଯୁବକ ୧୪ ତାରିଖ ରାତିରେ ତାଙ୍କ ଝିଅକୁ ଫୋନ୍ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା।

ପୋଲିସ ଘଟଣାର ତଦନ୍ତ କରୁଛି।