ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଯାତାୟତ ଠପ୍

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ସହର ନିକଟ ଏନ୍ଏଚ୍-୪୯ର ଜୁଡ଼ିଆ ଘାଟିରେ ଭୂସ୍ଖଳନ ହୋଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ପାହାଡ଼ରୁ ପଥର ଖଣ୍ଡ ଗୁଡ଼ିକ ରାସ୍ତାରେ ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜୁଡ଼ିଆ ଘାଟିର୧ କିମି ପୂର୍ବରୁ ବ୍ୟାରିକେଟ କରାଯାଇ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱକୁ ବନ୍ଦ କରି ଦିଆଯାଇଛି।

ବର୍ଷା ଲାଗି ରହିଥିବାରୁ କୌଣସି ମୂହୂର୍ତ୍ତରେ ମଧ୍ୟ ପୁଣି ଥରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଏଥିପାଇଁ ସେହି ରାସ୍ତା ଦେଇ ଯିବାଆସିବା କରିବାକୁ ବାରଣ କରାଯାଇଛି ।ଜେସିବି ଲଗାଯାଇ ରାସ୍ତାରୁ ପଥର ଗୁଡ଼ିକ ବାହାର କରାଯାଉଛି।ବର୍ଷା ଲାଗି ରହିଥିବାରୁ କାମରେ ବାଧାପ୍ରାପ୍ତ ହୋଇଛି।

ଏନ୍‌ଏଚ୍‌ର ୪୯ କରିଡର ମ୍ୟାନେଜର ଲିଙ୍ଗରାଜ ବାରିକ କହିଛନ୍ତି, ଗତକାଲିଠୁ ଜିଲ୍ଲାରେ ବର୍ଷା ଲାଗିଛି।  ଯାହାଫଳରେ ଜୁଡ଼ିଆ ଘାଟିରେ ମାଟି ଅତଡ଼ା ଖସିବା ସହ ପଥର ଗୁଡ଼ିକ ଖସୁଛି।ଆମ ଟିମ୍‌ ଆଲର୍ଟ ରହିଛନ୍ତି।

ଗତକାଲି  କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ମାଲାଗୁଡା ଘାଟି ରାସ୍ତାରେ ଭୁସ୍ଖଳନ ହୋଇଥିଲା। ଭୁସ୍ଖଳନ ଘଟି ୪ ପଞ୍ଚାୟତକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଫଳରେ ୧୦ ହଜାରରୁ ଊର୍ଦ୍ଧ୍ୱ  ଲୋକେ ପ୍ରାୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।