ବିକ୍ରି ହେବ ଜଗନ୍ନାଥଙ୍କ ଜମି, କିଏ କହୁଛି ସତ, ଆଇନ୍ ମନ୍ତ୍ରୀ ନା ମନ୍ଦିର ପ୍ରଶାସନ?
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଭୁ ଜଗନ୍ନାଥଙ୍କ ଜମି ବିକ୍ରି କରିବେ ରାଜ୍ୟ ସରକାର। ଏହାକୁ ନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ମଙ୍ଗଳବାର ବିଧାନସଭାରେ କହିଥିଲେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା। ଏ ସଂକ୍ରାନ୍ତ ଖବର ପ୍ରକାଶ ପାଇବା ପରେ ଗୁରୁବାର ଏହା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ସୋଶାଲ ମିଡିଆରେ ଟ୍ୱିଟରରେ ହ୍ୟାଶ ଟ୍ୟାଗ(#SaveJagannathLands) ‘ଜଗନ୍ନାଥ ଜମି ରକ୍ଷା କର’ ଦିନ ତମାମ ଟ୍ରେଣ୍ଡ କରିଛି।
ସାରା ଦେଶରେ ଜଗନ୍ନାଥ ଜମି ରକ୍ଷା କର ହ୍ୟାଶ୍ ଟ୍ୟାଗ୍ ଟ୍ରେଣ୍ଡ ହେବା ପରେ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ। ଏହି ଖବରକୁ ମନ୍ଦିର ପ୍ରଶାସନ ମିଛ ବୋଲି କହିଛି। ଏଭଳି ଖବରକୁ ନେଇ ଜଗନ୍ନାଥ ପ୍ରେମୀ ଏବଂ ଓଡ଼ିଶାବାସୀ ବିଭ୍ରାନ୍ତ ନହେବା ଉଚିତ ବୋଲି ମନ୍ଦିର ପ୍ରଶାସନ କହିଛି।
It is again reiterated that the reporting that 35,000 acres of land of Shree Jagannatha Mahaprabhu will be sold, is totally false & motivated. We urge the people of Odisha & millions of devotees of Lord Jagannatha to not be misguided by such malicious lies &false reporting. (7/7)
— Shree Jagannatha Temple Office, Puri (@SJTA_Puri) March 18, 2021
ତେବେ କିଏ ସତ କହୁଛନ୍ତି? ଆଇନ୍ ମନ୍ତ୍ରୀ ନା ତାଙ୍କ ଅଧୀନରେ ଥିବା ଶ୍ରୀମନ୍ଦିର ପ୍ରଶାସନ? କାରଣ ବିଧାନସଭାରେ ଆଇନ୍ ମନ୍ତ୍ରୀ କହିଥିଲେ, ପ୍ରଭୁ ଜଗନ୍ନାଥଙ୍କର ଓଡ଼ିଶା ସମେତ ଅନ୍ୟାନ୍ୟ ୬ଟି ରାଜ୍ୟରେ ଥିବା ମୋଟ୍ ୩୫,୨୭୨ ଏକର ଜମି ବିକ୍ରି କରାଯିବ। ଏ ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ମଙ୍ଗଳବାର ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନ କରିଥିଲେ। ଯାହାର ଜବାବରେ ମାହାଙ୍ଗା ବିଜେଡି ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଉତ୍ତର ରଖିଥିଲେ। ସେ କହିଥିଲେ ପୂର୍ବତନ ରାଜ୍ୟପାଳ ବିଡି ଶର୍ମାଙ୍କ ନେତୃତ୍ୱରେ ଏକ କିମିଟି ଗଠନ ହୋଇଥିଲା। ଆଉ ଏହି କମିଟିର ରିପୋର୍ଟ ଆଧାରରେ ସରକାର ଏବେ ୩୫,୨୭୨,୨୩୫ ଏକର ଜମି ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ପ୍ରଭୁ ଜଗନ୍ନାଥଙ୍କ ନାଁରେ ୬୦, ୪୨୬.୯୬୩ ଏକର ଜମି ରହିଛି। ରାଜ୍ୟର ୩୦ଟି ଜିଲ୍ଲାର ୨୪ଟି ଜିଲ୍ଲାରେ ଏହି ସବୁ ଜମି ରହିଛି। ଏଥିସହିତ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ବିହାରରେ ମଧ୍ୟ ୩୯୫ ଏକର ଜମି ରହିଛି। ଏହି ସମସ୍ତ ଜିଲ୍ଲାର ଜିଲ୍ଲପାଳ ଏହି ସବୁ ଜମିର ବୁଝାସୁଝା କରନ୍ତି।
ଏବେ ମନ୍ଦିର ପ୍ରଶାସନ ସମନ ନୀତି (ୟୁନିଫର୍ମ ପଲିସି)ର ରିପୋର୍ଟ ଆଧାରରେ ୩୪,୮୭୬,୯୬୩ ଏକର ଜମି ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ ମନ୍ଦିର ପ୍ରଶାସନର ନିଷ୍ପତ୍ତି ପରେ ରାଜ୍ୟ ସରକାର ଏହାକୁ ଅନୁମତି ଦେଇଛନ୍ତି। ଏବେ ମନ୍ଦିର ପ୍ରଶାସନ ଏହି ଖବରକୁ ମିଛ ବୋଲି କହିଛନ୍ତି ଯାହାକି ରାଜ୍ୟବାସୀଙ୍କୁ ସନ୍ଦେହ ଘେରରେ ପକାଇଛି।
ଖାଲି ଏତିକି ନୁହେଁ, ବିଧାନସଭାରେ ମନ୍ତ୍ରୀ ଆହୁରି କହିଥିଲେ, ରାଜ୍ୟରେ ଥିବା ୩୧୫.୩୩୭ ଏକର ଜଗନ୍ନାଥ ଜମି ବିକ୍ରି କରି ଦେଇଛନ୍ତି। ଯେଉଁଥିରେ କଟକ ସ୍ଥିତ ଭାରତୀ ମଠ କୋଠା ବିକ୍ରି ରହିଛି। ଏହି କୋଠା ବିକ୍ରି କରି ସରକାର ୧୧.୨୦ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଯାହାକୁ ମନ୍ଦିରର କର୍ପସ ଫଣ୍ଡରେ ସରକାର ଜମା କରିଛନ୍ତି। ସରକାର ଏବେ ଛଅଟି ଅନ୍ୟ ରାଜ୍ୟରେ ଥିବା ୩୯୫ ଏକର ଜମି ବିକ୍ରି କରିବା ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।
ତେବେ ଯେଉଁମାନେ ୩୦ ବର୍ଷରୁ ଅଧିକ ସମୟ ଧରି ମନ୍ଦିର ଜମିକୁ ଦଖଲ କରିଛନ୍ତି ସେମାନେ ଚାହିଁଲେ ଏକର ପିଛା ୬ ଲକ୍ଷ ଟଙ୍କା ଦେଇ ଏହି ଜମିର ମାଲିକାନା ପାଇପାରିବେ। ସେହିପରି ୨୦ ବର୍ଷରୁ ଅଧିକ ସମୟ ଧରି ଦଖଲ କରିଥିଲେ ଏକର ପିଛା ୯ ଲକ୍ଷ ଟଙ୍କା, ୧୨ ବର୍ଷରୁ ଅଧିକ ସମୟ ଦଖଳ ରଖିଥିଲେ ଏକର ପିଛା ୧୫ ଲକ୍ଷ ଟଙ୍କା ଦେଇ ମାଲିକାନା ପାଇପାରିବେ।
ଏ ସଂକ୍ରାନ୍ତ ଖବର ବିଭିନ୍ନ ଇଂରାଜୀ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛି। ଶ୍ରୀଜଗନ୍ନାଥଙ୍କର ହଜାର ହଜାର ଭକ୍ତ ‘#savejagannathlands’ ବା ‘ଜଗନ୍ନାଥ ଜମି ରକ୍ଷା କର’ ହ୍ୟଶ୍ଟ୍ୟାଗ୍ରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ ଯଦି ସତ୍ୟ ତାହେଲେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଅସତ୍ୟ କହିଛନ୍ତି। ଯଦି ମନ୍ତ୍ରୀ ଠିକ କହିଛନ୍ତି ତେବେ ତାଙ୍କ ବିଭାଗ ଅଧୀନସ୍ତ ଶ୍ରୀମନ୍ଦିର ପ୍ରଶାସନ ନିଶ୍ଚୟ ମିଛ କହି ରାଜ୍ୟବାସୀଙ୍କୁ ଭୁଆଁ ବୁଲଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।