ଗର୍ଜିଲା ଯୁବ କଂଗ୍ରେସ, ପୁଲିସ୍‌ ସହ ଧସ୍ତାଧସ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ତେଜିଲା ମାହାଙ୍ଗା ଡବଲ ମର୍ଡର ତାତି। ଏହି ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଓ ଗିରଫ ଦାବିରେ ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ । ଦଳ ପକ୍ଷରୁ ଭୁବନେଶ୍ୱରରେ କଂଗ୍ରସ ଭବନରୁ ଆଜି ବାଇକ ରାଲି ସହ ଏକ ପଦଯାତ୍ରା ବାହାରିଥିଲା । ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

ଯୁବ କଂଗ୍ରେସ କର୍ମୀମାନେ ପ୍ରତାପ ଜେନାଙ୍କ ସରକାରୀ ବାସଭବନ ଘେରାଉ ପାଇଁ ଯାଇଥିବାବେଳେ ଶିଶୁ ଭବନ ଛକରେ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା । ମାହାଙ୍ଗା ଡବଲ ମର୍ଡର ଘଟଣାରେ  ଆଇନମନ୍ତ୍ରୀଙ୍କ ବହିଷ୍କାର ଓ  ଗିରଫ ଦାବି ସହ ମୁଖ୍ୟ ଷ଼ଡଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଯୁବ କଂଗ୍ରେସ । ତେବେ ଏନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Congress Protest
‍‍‍‍‍ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କଂଗ୍ରେସ କର୍ମୀ।

ଏନେଇ ଜଣେ କଂଗ୍ରେସ କର୍ମୀ କହିଛନ୍ତି, “ଯିଏ ମୁଖ୍ୟ ଆସାମୀ ଥିଲା, ତାକୁ ଗାଡ଼ି ମଡ଼ାଇ ମାରି ଦିଆଯାଉଛି। ମାହାଙ୍ଗାରେ ଯିଏ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବ, ମନ୍ତ୍ରୀ ପ୍ରତାପ ଜେନା ତାକୁ ମୃତ୍ୟୁଦଣ୍ଡ ଦେବେ। ଯଦି ତାଙ୍କୁ ଗିରଫ କରା ନ ଯାଏ, ସେ ଇସ୍ତଫା ନ ଦିଅନ୍ତି ଆଗାମୀ ଦିନରେ ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଘେରାଉ କରାଯିବ। ”

ସୂଚନାଯୋଗ୍ୟ, ଫେବ୍ରୁଆରୀ ମାସରେ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ  ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକ୍‌ରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିଲେ। ମାତ୍ର ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ  ୧୩ ଜଣଙ୍କ ନାଁରେ କୁଳମଣିଙ୍କ ପୁଅ ରମାକାନ୍ତ  ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ହେଲେ ଘଟଣାର ୨ ମାସ ପରେ ବି ପୁଲିସ୍‌ ଆଇନ୍‌ ମନ୍ତ୍ରୀଙ୍କ ବିରୋଧରେ କିଛି ପଦକ୍ଷେପ ନେବାକୁ ସାହସ କରିପାରୁନି।  ଏହାକୁ ନେଇ ବିଭିନ୍ନ ସମୟରେ ବିଜେପି, କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ଗର୍ଜନ କରୁଥିବା ବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।