୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ୱର: ଶେଷରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରକାଶ କରିଛି ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ୬ ବିଧାୟଙ୍କୁ ମିଶାଇ ୬୦ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିଲା କଂଗ୍ରେସ। ନିର୍ବାଚନ କମିଶନ ଏହାକୁ ଗ୍ରହଣ ନ କରିବାରୁ ଶେଷ ପର୍ଯ୍ୟାୟରେ ତାଲିକାରେ ୪୦ ଜଣ ନାଁ ସ୍ଥାନୀତ କରାଯାଇଛି।

ତାଲିକାରେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ମହାପାତ୍ରଙ୍କୁ ସାମିଲ କରାଯାଇଛି। ଏହାସହ କନ୍ଧମାଳର ମଦ ବିରୋଧୀ ଅଭିଯାନର କର୍ଣ୍ଣଧାର କେଶମତୀ ପ୍ରଧାନ, କମ୍ୱିଂ ବେଳେ ପୋଲିସ ଗୁଳିରେ ବାପା ଓ ମା’ଙ୍କୁ ହରାଇଥିବା ତୁମୁଡ଼ିବନ୍ଧର ରହୁଲ ନାୟକ ଓ ନରେନ୍ଦ୍ର ପ୍ରଧାନଙ୍କୁ ପ୍ରମୁଖ ସାମିଲ କରାଯାଇଛି। ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ନବ ଦାସ, ଜାକବ ପ୍ରଧାନ, କୃଷ୍ଣ ଶଗରିଆ, ପ୍ରଭାରୀ ହରିପ୍ରସାଦ, ସହ-ପ୍ରଭାରୀ ଶୁଭଙ୍କର ସରକାର ତାଲିକାରେ ଅଛନ୍ତି।

ଭେଟ୍‌ରାନ୍‌ ହେମାନନ୍ଦ ବିଶ୍ୱାଳ, କାହ୍ନୁ ଚରଣ ଲେଙ୍କା, କେଭି ସିଂହଦେଓ, ନରେନ୍ଦ୍ର କୁମାର, ବିଧାୟକ ପ୍ରଫୁଲ୍ଲ ମାଝି, ଯୋଗେଶ ସିଂ, ଭୁଜବଳ ମାଝି ଓ ପ୍ରକାଶ ବେହେରା ପ୍ରମୁଖ ତାଲିକାରୁ ବାଦ ଦିଆଯାଇଛି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଆମେ ୬୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରିଛୁ। ଏହାଛଡ଼ା ଲୋକ ସ୍ୱାର୍ଥ ଆନ୍ଦୋଳନ ସହ ଜଡିତ ଥିବା ସାଧାରଣ ଲୋକଙ୍କୁ ପ୍ରଚାରରେ ସାମିଲ କରାଇଛୁ।”