କୋଇଲା ଉତ୍ତୋଳନ ବୃଦ୍ଧି ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବାକୁ ୨୯ରେ ଓଡ଼ିଶା ସମେତ ୭ ରାଜ୍ୟକୁ ନେଇ ବୈଠକ

ଭୁବନେଶ୍ୱର: ରାଜ୍ୟରେ କୋଇଲା ଉତ୍ତୋଳନ ବୃଦ୍ଧି ଓ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ନେଇ ଆସନ୍ତା ୨୯ରେ ବସିବ ଗୁରୁତ୍ୱପୂର୍ଣ୍ଣ  ବୈଠକ। କେନ୍ଦ୍ର କୋଇଲା ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକର ଓଡ଼ିଶା ସମେତ ୭ଟି ରାଜ୍ୟର ଖଣି ଅଧିକାରୀ ଯୋଗଦେବେ।

କୋଇଲା ସମୃଦ୍ଧ ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ କେନ୍ଦ୍ର କୋଇଲା ସଚିବ ଅନିଲ ସ୍ୱରୂପ ଆଲୋଚନା କରିବେ। କୋଇଲା ଉତ୍ତୋଳନ ବୃଦ୍ଧି, ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ଓ କ୍ୟାପଟିଭ କୋଲ ମାଇନର ସ୍ଥିତି ନେଇ ବୈଠକରେ ଆଲୋଚନା କରାଯିବ। ଏସବୁ ରାଜ୍ୟରେ ବର୍ତ୍ତମାନ କେଉଁ ଉପାୟରେ କୋଇଲା ଉତ୍ତୋଳନ କରାଯାଉଛି ତାହାର ଅନୁଧ୍ୟାନ କେନ୍ଦ୍ର କୋଇଳା ସୁବ କରିବେ। ବୈଠକରେ ଓଡ଼ିଶାରୁ ଖଣି ସଚିବ, ଜଙ୍ଗଲ ଓ ପରିବେଶ ସଚିବ, ଖଣି ନିର୍ଦ୍ଦେଶକ ଏବଂ ଶିଳ୍ପ ସଚିବ ଯୋଗ ଦେବେ। ବୈଠକ ପରେ କେନ୍ଦ୍ର କୋଇଲା ସଚିବ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଓଡ଼ିଶାରେ ଯେଉଁ କୋଲ ବ୍ଲକ ଅଛି ତାହାର କେମିତି ନିଲାମ ହେବ ଓ ଓଟିପିସିଏଲ, ଓପିଜିସିଏଲ ଓ ମାଇନିଂ ପାଇଁ ପବ୍ଲିକ ସେକ୍ଟର ଅଣ୍ଡର ଟେକିଂ ବିଷୟରେ ଆଲୋଚନା ହେବ। ଏହାସହ ଏଠାରେ କିପରି କୋଲ ବ୍ଲକର ବିକାଶ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ।

ଓଡ଼ିଶାରେ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ ବା ଏମସିଏଲର କୋଇଲା ଉତ୍ପାଦନ ବୃଦ୍ଧି ଓ ପବ୍ଲିକ ସେକ୍ଟରର କମ୍ପାନୀଙ୍କ ସହ ଅନ୍ୟ ପାୱାର ପ୍ଲାଣ୍ଟ, ଅଣ ନିୟନ୍ତ୍ରିତ କମ୍ପାନୀଙ୍କୁ କିପରି ଆବଶ୍ୟକ ଅନୁସାରେ କୋଇଲା ଯୋଗାଇ ଦିଆଯାଇପାରିବ ସେ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ। ପରିବହନ ଭଡ଼ା ହ୍ରାସ ଓ ଟ୍ରେନ୍ ଯୋଗେ ଅଧିକ କୋଇଲା ପରିବହନ, କୋଲ ବ୍ଲକ ନିଲାମୀ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି।

ଆସନ୍ତା ୩୦ ତାରିଖରେ ତାଳଚେର ଓ ସୁନ୍ଦରଗଡ଼ ଅଞ୍ଚଳର କୋଇଲା ଖଣି ଅଞ୍ଚଳକୁ କେନ୍ଦ୍ର ଖଣି ସଚିବ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବତନ ଖଣି ନିର୍ଦ୍ଦେଶକ ବି.କେ. ମହାନ୍ତି କହିଛନ୍ତି ଥର୍ମାଲ ଗ୍ରେଡ କୋଲ ଉପରେ ମୁଖ୍ୟତଃ ଫୋକସ କରାଯିବ। ଆମର ଯେଉଁ ଥର୍ମାଲ ପ୍ଲାଣ୍ଟ ଅଛି ସେମାନଙ୍କ ଆବଶ୍ୟକତା କେତେ ଅଛି ସେ ନେଇ ଆଲୋଚନା କରାଯାଇପାରେ।