କରୋନା-୨ ଡରାଇଲାଣି, ସରକାରଙ୍କ ୩ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଖୋଜଖବର ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାପରେ ରାଜ୍ୟରେ  ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମଧ୍ୟ କରୋନାର ମୁକାବିଲା ଓ ସମୀକ୍ଷା ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ କରୋନାର କରାଳ ଛାୟାରେ ଗତ ଏକବର୍ଷ ଧରି ରାଜ୍ୟବାସୀ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ସରକାରଙ୍କ ୩ଜଣ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଖୋଜ ଖବର ନାହିଁ। ଏପରିକି ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ପାଉଥିବା ୩ଜଣ ସ୍ୱାସ୍ଥ୍ୟ ପରାମର୍ଶଦାତା ଗତ ଏକବର୍ଷ ମଧ୍ୟରେ କରୋନା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ସରକାରଙ୍କୁ କି ପରାମର୍ଶଦାତା ତାହା ବି ସାଧାରଣ ଲୋକଙ୍କ କୋଟିଏ ପ୍ରଶ୍ନ ପାଲଟିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଆଜି ୧୪୬ଜଣ କୋଭିଡ୍ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିବାବେଳେ ସେଥିରେ ୫୯ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି। ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ ପରିସରରୁ ୪୫ଜଣ ସଂକ୍ରମିତ ଚିହ୍ନଟ ହେବାପରେ ଆଜି ମୁଖ୍ୟସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଦୈନିକ କୋଭିଡ୍ ପରୀକ୍ଷା ପରିମାଣକୁ ବୃଦ୍ଧି କରିବା ସହ ପଂଚାୟତରେ ଲୋକଙ୍କୁ ସଚେତନ କରାଇବା ନିମନ୍ତେ ସରପଂଚ,ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୁଣିଥରେ ୨୦୨୦ ମସିହା ଭଳି କ୍ଷମତା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ପୁଲିସକୁ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି। ଦୀର୍ଘ ୭ମାସ ପରେ ନାଇଟ କର୍ଫ୍ୟୁ ଫେରିବାକୁ ନେଇ ରାଜ୍ୟବାସୀ ଆଶଙ୍କାରେ ରହିଲେଣି। ଅବଶ୍ୟ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ସଂକ୍ରମଣ ଆଶଙ୍କା ଓ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
ମାତ୍ର ଏସବୁ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡୀ ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ନେଉଥିବା ପିକେ ପ୍ରଧାନ ଓ ସୁଧୀର ଦାସ ରାଜ୍ୟବାସୀଙ୍କୁ କେଉଁଭଳି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ତାହା କେହି ଜାଣିପାରୁନାହାନ୍ତି। ଏହି ୩ଜଣ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଦ୍ୱାରା ରାଜ୍ୟବାସୀଙ୍କ ପାଇଁ ଉଦ୍ଦିଷ୍ଟ ସେବା ସମ୍ପର୍କରେ ନା ସରକାର ମୁହଁ ଖୋଲୁଛନ୍ତି, ନା ସମ୍ପୃକ୍ତ ପରାମର୍ଶଦାତାମାନେ।

ପ୍ରଥମ ପର୍ଯ୍ୟାୟରେ କରୋନାକୁ ସଫଳତାର ସହ ମୁକାବିଲା କରିଥିବା ଓଡ଼ିଶା ସରକାର ଏବେ କରୋନାର ପ୍ରତ୍ୟାବର୍ତ୍ତନକୁ ନେଇ ଚିନ୍ତିତ ଥିବାବେଳେ ମନ୍ତ୍ରୀ ପାହ୍ୟା ମାଡ଼ିବସିଥିବା ଏହି ସ୍ୱାସ୍ଥ୍ୟ ପରାମର୍ଶଦାତାମାନେ ନିଜର ଅଭିଜ୍ଞତା ଆଧାରରେ ଅନ୍ତତଃପକ୍ଷେ ଆଗକୁ ଆସି ଏଭଳି ଦୁଃସମୟରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିପାରନ୍ତେ। କେବଳ ସେତିକି ନୁହେଁ, ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା’କୁ ବାସ୍ତବ ରୂପ ଦେବା ନିମନ୍ତେ ନୂଆ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତି ସମ୍ପର୍କରେ ଏହି ସ୍ୱାସ୍ଥ୍ୟ ଉପଦେଷ୍ଟାମାନେ ଘୋଷଣା କରିବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଏବେବି ଫଳପ୍ରଦ ହୋଇପାରିନି।
କରୋନା ପୁଣିଥରେ ଡରାଇବା ଆରମ୍ଭ କରିଥିବାବେଳେ ଓଡ଼ିଶା ସରକାରଙ୍କଠୁ ମନ୍ତ୍ରୀ ପାହ୍ୟା ସୁବିଧା ନେଇ ବସିଥିବା ସମ୍ପୃକ୍ତ ୩ ସ୍ୱାସ୍ଥ୍ୟ ପରାମର୍ଶଦାତା ରାଜ୍ୟବାସୀଙ୍କ ସେବାରେ ଉପଲବ୍ଧ ହୋଇ ନିଜର ନୈତିକ ଦାୟିତ୍ୱ ବହନ କରିବା ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।