ଗଞ୍ଜାମ ଜିଲ୍ଲାକୁ ପୁଣି ଥରେ ଲେଉଟିଲା କରୋନା

ବ୍ରହ୍ମପୁର (ଅଶୋକ ବ୍ରହ୍ମା): କରୋନାର କୋପକୁ ବ୍ରହ୍ମପୁରବାସୀ ଭୁଲି ପାରି ନ ଥିବା ବେଳେ ପୁଣି ଥରେ ଜିଲ୍ଲାକୁ ଲେଉଟିଲାଣି ଏହି ମହାମାରୀ। ବ୍ରହ୍ମପୁରର ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିମିଟେଡ୍ କାର୍ଯ୍ୟାଳୟର ୨ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଦୁଇ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ନଥିବା ବେଳେ ଭୁବନେଶ୍ୱରରେ ସେମାନଙ୍କ ଚିକିତ୍ସା ଚାଲିଛି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଅଫିସକୁ ସାନିଟାଇଜ୍ କରାଯାଇଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୮୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୨ ପଜିଟିଭ ବାହାରିଥିବା ବେଳେ ଗତ ମଙ୍ଗଳବାର ୩ ପଜିଟିଭ ବାହାରିଥିଲେ।   ମହାମାରୀ ଯୋଗୁ ନିଜ ଲୋକଙ୍କୁ ହରାଇଥିବା ଜିଲ୍ଲାବାସୀ ପୁଣି ଥରେ ଏହା ବ୍ୟାପିବା ଆଶଙ୍କାରେ ଭୟଭୀତ ହୋଇପଡ଼ିଛନ୍ତି।

ଏହାବ୍ୟତୀତ  ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, କଟକରୁ ୨୫, ସୁନ୍ଦରଗଡ଼ରୁ ୧୦, ବରଗଡ଼ରୁ ୯, ଯାଜପୁର, ରାୟଗଡ଼ାରୁ ୫, ଅନୁଗୁଳରୁ ୪, ମୟୂରଭଞ୍ଜ, ପୁରୀ, କଳାହାଣ୍ଡି ଓ ଖୋର୍ଦ୍ଧାରୁ ୩ ଜଣ  ଲେଖାଏଁ ଏବଂ ଜଗତସିଂହପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୩,୩୮,୪୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୩୫,୮୫୭ ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ୬୬୧ଟି ଆକ୍ଟିଭ କେସ୍‌ ରହିଛି।

ସୂଚନାଯୋଗ୍ୟ, କଟକର ଏକ ଘରୋଇ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ କଲେଜକୁ ବନ୍ଦ କରି ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।