ଏବେଠୁ ସତର୍କ ନରହିଲେ ଆଗକୁ ସ୍ଥିତି ସାଙ୍ଘାତିକ ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଇନାରୁ ଆସିଥିବା କରୋନା ମହାମାରୀ ଧିରେ ଧିରେ ସାରା ବିଶ୍ୱକୁ ତା’ କବଳରେ କରିନେଇଥିଲା। ଭାରତରେ ମଧ୍ୟ କରୋନାର ପ୍ରଭାବ ବହୁତ ଦେଖିବାକୁ ମିଳିଛି। ୨୦୨୦ ମସିହା ଆରମ୍ଭରୁ ଯେତେବେଳେ କରୋନା ଭାରତରେ ପାଦ ଦେଲା, ସେତେବେଳେ ନାନା କଳ୍ପନା ଜଳ୍ପନା ହୋଇଥିଲା। କେହି କହୁଥିଲେ କରୋନା କିଛି ଦିନ ରହିବା ପରେ ପଳାଇବ ତ କେହି କହୁଥିଲେ ଏହା ଅତ୍ୟନ୍ତ ମାରାତ୍ମକ। କିନ୍ତୁ ଦିନକୁ ଦିନ କରୋନାର ପ୍ରକୋପ ବଢ଼ିବାରେ ଲାଗିଲା। ଆଗୁଆ ସତର୍କ ହେବା ଏବଂ ଲୋକଙ୍କୁ ସଚେତନ କରାଇବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ପାଇଁ ଘୋଷଣା କରିଥିଲେ। ଏହି କର୍ଫ୍ୟୁକୁ ଆସନ୍ତାକାଲି ବର୍ଷେ ପୂରିବ। କିନ୍ତୁ ଏହା ପରେ କରୋନା ଯେପରି ଲଗାମଛଡ଼ା ହୋଇଯାଇଥିଲା।

ତେବେ ଏହି ବର୍ଷକ ମଧ୍ୟରେ କରୋନା ମାମଲାରେ ତ ବହୁତ ସୁଧାର ଆସିଛି, କିନ୍ତୁ ଆଜିବି ଲୋକଙ୍କ ମନରେ ସେହି ଭୟ ରହିଛି। କରୋନା କବଳରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ଏସବୁ ସତ୍ତ୍ୱେ ମହାରାଷ୍ଟ୍ର ଭଳି ରାଜ୍ୟରେ କରୋନା ସଂକ୍ରମଣ ଯେଉଁଭଳି ଭାବେ ପୁଣି ବଢ଼ିଛି, ତାହା ସମସ୍ତଙ୍କୁ ଟେନସନ୍ ବଢ଼ାଇ ଦେଇଛି। ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। କରୋନାର ଏହି ୟୁଟର୍ଣ୍ଣ ପାଇଁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଓଡ଼ିଶାରେ ଗତ ଦୁଇଦିନ ସଂକ୍ରମିତଙ୍କ ସଂଖ୍ୟା ଶହେରୁ ଅଧିକ ରହୁଥିବା ବେଳେ ରବିବାର ଏହା ୯୮କୁ ଖସି ଆସିଛି। ତେବେ ୮ ଦିନର ବ୍ୟବଧାନ ପରେ ରାଜ୍ୟରେ ଆଉ ଏକ ଜୀବନ ନେଇଛି କରୋନା। କରୋନରେ ପ୍ରାଣ ହରାଇଥିବା ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରୁ ରବିବାର ସର୍ବାଧିକ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ସଂକ୍ରମଣ ବ୍ୟାପୁଥିବାରୁ କଟକର ସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯିବା ସହ କାଲିଠୁ ସ୍କ୍ରିନିଂ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଏ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି, କରୋନାର ଦ୍ଵିତୀୟ ଲହର ଆସିଯାଇଛି। ପ୍ରଥମେ ଦେଶର କିଛି ସୀମିତ ରାଜ୍ୟରେ ସେକେଣ୍ଡ ୱେଭ ଥିଲା। କିନ୍ତୁ ଗତ ମାସକ ମଧ୍ୟରେ ସେସବୁ ରାଜ୍ୟରେ କରୋନା ସଂଖ୍ୟା ଢେର ବଢ଼ିଛି। ଏବେ ଆମ ରାଜ୍ୟରେ ବି ଗତ ୨-୩ ଦିନରେ କରୋନା ସଂକ୍ରମଣ ସଂଖ୍ୟା ବହୁତ ବଢ଼ିଗଲାଣି। ପୂର୍ବରୁ ଓଡ଼ିଶାରେ ଦୈନିକ ସଂକ୍ରମଣ ୬୦ରୁ ୮୦ ମଧ୍ୟରେ ରହୁଥିଲା। ଏବେ ୫୦%ରୁ ୧୦୦% ବଢ଼ିଗଲାଣି। ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି। ତେଣୁ ଏବେଠୁ ସତର୍କ ନହେଲେ, ଓଡ଼ିଶାରେ ମଧ୍ୟ ଆଗକୁ ସ୍ଥିତି ଅଣାୟତ ହୋଇଯିବ।

ଅପରପକ୍ଷରେ ମହାରାଷ୍ଟ୍ରରେ କରୋନାର ନୂଆ ଲହର ଜନସାଧାରଣଙ୍କୁ ନୟାନ୍ତ କରିଦେଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ରାଜ୍ୟରେ ଆକ୍ଟିଭ୍ ମାମଲା ସଂଖ୍ୟା ୧ ଲକ୍ଷ ୯୨ ହଜାର ଟପିଛି। ସେହିପରି ଦେଶରେ ଗତ ୪ ମାସ ମଧ୍ୟରେ ସର୍ବାଧିକ ଦୈନିକ ସଂକ୍ରମଣ ୪୩ ହଜାର ୮୪୬ରେ ପହଞ୍ଚିଛି। ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧୯୭ ଜଣ। ତେଣେ ଦେଶର ଅନ୍ୟତମ ବ୍ୟାବସାୟିକ ପେଣ୍ଠସ୍ଥଳୀ ସୁରତରେ ସମ୍ଭାବ୍ୟ ସ୍ଥିତିକୁ ଦେଖି ଶନିବାର ଓ ରବିବାର ଟେକ୍ସଟାଇଲ୍ ଏବଂ ହୀରା ଶିଳ୍ପ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ଏଭଳି ନିଷ୍ପତ୍ତି ପରେ ସୁରତରେ ଅବସ୍ଥାପିତ ଓଡ଼ିଆ ବ୍ୟବସାୟୀ ଏବଂ ଶ୍ରମିକଙ୍କ ମନରେ ପୁଣି ଥରେ ଛନକା ପଶିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।