ଦୁର୍ନୀତି କରୁଛନ୍ତି କି? ଫାଶରେ ଫସିବେ: ଓଡ଼ିଶା ସରକାର କରୁଛନ୍ତି ବ୍ଲୁ ପ୍ରିଣ୍ଟ୍‌

ଭୁବନେଶ୍ୱର: ଦୁର୍ନୀତି କରୁଛନ୍ତି କି? ପରିଣାମ ଭୟଙ୍କର ହୋଇପାରେ। କାରଣ ଦୁର୍ନୀତିଖୋରଙ୍କ ବିରୋଧରେ ରାଜ୍ୟ ସରକାର ଅଣ୍ଟା ଭିଡ଼ିବା ସହିତ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ୍‌। ଖୁବ୍‌ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଓ ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି.ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଦୁର୍ନୀତି ବିରୋଧରେ ସରକାରଙ୍କ ଜିରୋ ଟଲେରାନ୍ସ ପଦ୍ଧତି କଡ଼ାକଡ଼ି ପାଳନ ପାଇଁ ପୁଣି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁର୍ନୀତି ଯୋଗୁଁ ଗରିବ ଲୋକେ ଯେପରି ଅଧିକାରରୁ ବଞ୍ଚିତ ନହୁଅନ୍ତି ସେଥିପାଇଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। ଏହାଛଡ଼ା ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାରେ ହେଉଥିବା ଦୁର୍ନୀତି ରୋକିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ଅନ୍ୟପକ୍ଷରେ ଦୁର୍ନୀତିର କୁପରିଣାମ ସମ୍ପର୍କରେ ବ୍ଲକସ୍ତରରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ସଚେତନ କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟିରେ ସ୍ଥାନୀୟ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହେବେ। ଆବଶ୍ୟକସ୍ଥଳେ ବ୍ଲକ ଓ ଜିଲ୍ଲାସ୍ତରୀୟ କମିଟି କ୍ଷେତ୍ର ପରିଦର୍ଶନ କରି ବିକଶ ଓ କଲ୍ୟାଣ କାର୍ଯ୍ୟକ୍ରମର ସ୍ୱଚ୍ଛତା ତଦାରଖ କରିବେ। ଏପରିକି କମିଟି ନିୟମିତ ବୈଠକ କରି ବିଭିନ୍ନ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଭିଜିଲାନ୍ସ ହେଡକ୍ୱାର୍ଟସକୁ ରିପୋର୍ଟ ଦେବେ। ଦୁର୍ନୀତି ପ୍ରତିଷେଧକ କାର୍ଯ୍ୟକ୍ରମକୁ ତଦାରଖ ପାଇଁ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଓଭର ସାଇଟ୍‌ କମିଟି ଗଠନ ହେବ।

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି-“ଯୋଗ୍ୟତା ଥିଲେ ଜଣେ ବ୍ୟକ୍ତି ସରକାରୀ ଯୋଜନାରେ ସାମିଲ ହୋଇପାରିବ। ଏଥିପାଇଁ ଲାଞ୍ଚଳର ଆବଶ୍ୟକତା ନାହିଁ। ଯେଉଁମାନେ ଲାଞ୍ଚ ନେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”