ଡମ୍ଫର ଧକ୍କାରେ ଦମ୍ପତି ମୃତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର-ଟିଟିଲାଗଡ ରାସ୍ତାର ସିଂହଖମନ ଛକଠାରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଡମ୍ଫର ଧକ୍କା ଦେବା ଫଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ପ୍ରେମାନନ୍ଦ ସାହୁ ଓ ତାଙ୍କ ସ୍ତ୍ରୀ ପ୍ରତିମା ସାହୁ।

ପ୍ରତିମା ଦଶହରାରେ ଭାଇ ଜିଉଁନ୍ତିଆ ଓଷା କରିବା ପାଇଁ ବଲାଙ୍ଗିର ରାମେଶ୍ୱର ନଗରପଡାରେ ରହୁଥିବା ନିଜ ଭାଇ ଘରକୁ ଆସିଥିଲେ। ଆଜି ସକାଳେ ସ୍ୱାମୀଙ୍କ ସହ ବାଇକ୍‌ରେ ନିଜ ଶାଶୂଘର କଳାହାଣ୍ଡି ଜିଲ୍ଲାର ଜରାଡୁଗୁରାକୁ ଆସୁଥିଲେ। ଏହି ସମୟରେ ସିଂହଖମନ ଛକଠାରେ ସେମାନଙ୍କ ବାଇକ୍‌କୁ ଡମ୍ଫର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପ୍ରତିମାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ତାଙ୍କ ସ୍ୱାମୀ ପ୍ରେମାନନ୍ଦଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବି ମୃତ୍ୟୁ ହୋଇଥିଲା। ପ୍ରତିମା ଓ ପ୍ରେମାନନ୍ଦଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।