ଓଡ଼ିଶା ଆସିଲା କରୋନା ଭ୍ୟାକସିନ ସରଞ୍ଜାମ, ନୂଆ ଭାଇରସ ବିପଦଜ୍ଜନକ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ନୂଆ ଷ୍ଟ୍ରେନକୁ ଆଶଙ୍କା ଲାଗି ରହିଥିବା ବେଳେ ଓଡ଼ିଶାକୁ ପ୍ରଥମ ଦଫାରେ ୨୧ ଲକ୍ଷ ସିରିଞ୍ଜ ସହ କୋଭିଡ-୧୯ ଟିକାର ସରଞ୍ଜାମ ଆସି ପହଞ୍ଚିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଭ୍ୟାକସିନ ରଖିବା ପାଇଁ ୨୬ଟି ଆଇଏଲଆର ଆସିଛି। ଆଗକୁ ଆହୁରି ୩୩୯ଟି ଆଇସ ରେଫ୍ରିଜରେଟର ଆସିବ। ଏବେ ରାଜ୍ୟର ୩.୨୬ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ମାଧ୍ୟମରେ ଟିକାକରଣ କରିବା ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତ ହୋଇଛି।

ଅନ୍ୟପକ୍ଷରେ ଭାରତରେ ନୂଆ କରୋନା ଷ୍ଟ୍ରେନକୁ ନେଇ ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ଏହି ଭାଇରସ ପୂର୍ବ ଭାଇରସ ଠାରୁ କ୍ଷିପ୍ର ଗତିରେ ସଂକ୍ରମିତ କରିବ। ଅଧିକ ଲୋକ ମଧ୍ୟ ସଂକ୍ରମଣର ଶିକାର ହେବେ। ଓଡ଼ିଶାରେ ପଜିଟିଭ ଚିହ୍ନଟ ଲୋକଙ୍କ ଜେନମ ସିକ୍ୱେନ୍ସ ଜାଣିବା ପାଇଁ ସେମାନଙ୍କ ନମୁନା ପୁଣେକୁ ପଠାଯାଇଛି।   ଏହି ନୂଆ ଭାଇରସ ସୁପର ସ୍ପେଡର ହେବ କି ନାହିଁ, ତାହା ଜଣାପଡ଼ିନି। ମାତ୍ର ଜ୍ୱର, ଝାଡ଼ା, କାଶ ଓ ଡାଇରିଆ ଏହି ନୂଆ ଭୂତାଣୁର ଲକ୍ଷଣ ବୋଲି ସେ କହିଛନ୍ତି।

ସେହିପରି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ନୂଆ ଷ୍ଟ୍ରେନ ପାଇଁ  କୌଣସି ରାଜ୍ୟରେ ମୃତ୍ୟୁ କିମ୍ବା ରୋଗୀଙ୍କ ସଂଖ୍ୟା ବଢ଼ୁନି। ନୂଆ ଷ୍ଟ୍ରେନର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ବ୍ରିଟେନରୁ ବିମାନ ସେବା ବନ୍ଦ ଅଛି। ଯେଉଁମାନେ ବ୍ରିଟେନରୁ ଫେରିଥିଲେ, ସେମାନଙ୍କୁ ଟ୍ରାକ କରାଯାଉଛି। ନୂଆ ଷ୍ଟ୍ରେନର ଲକ୍ଷଣ ଓ ଚିକିତ୍ସା ବି ପୂର୍ବଭଳି ସମାନ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।