ବର୍ଜ୍ୟଜଳ ଦେଖାଇବ କୋଭିଡ୍ ସ୍ଥିତି, ୩ ସହରରୁ ଆରମ୍ଭ ହେବ ଅଧ୍ୟୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ଜ୍ୟଜଳରୁ ଜାଣିହେବ କୋଭିଡ୍ ସ୍ଥିତି। ଏନେଇ ଗବେଷଣା କରିବ RMRC। ଏନେଇ ଆଜି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। Indian Council of Medical Research ସୂତ୍ରରୁ କୁହାଯାଇଛି ଯେ ଏଭଳି ଅଧ୍ୟୟନର ଆନୁମାନିକ ମୂଲ୍ୟ ରହିଛି। ତେଣୁ ICMR କହିବା ମୁତାବକ ଆମ ରାଜ୍ୟରେ ରୋଗ ଉପଦ୍ରବ ସ୍ଥିତି ଜାଣିବା ନିମନ୍ତେ ଏଭଳି ଗବେଷଣା କରାଯିବ। ଅଧ୍ୟୟନରେ କୋଭିଡ୍ ସ୍ଥିତି ସମେତ ହଇଜା, ଦଣ୍ଡିସ୍ ପ୍ରଭୃତି ସଂକ୍ରମଣ ବୃଦ୍ଧି ସ୍ଥିତି ଜାଣି ହେବ। ଫଳରେ ଏହାର ନିରାକରଣ ପ୍ରସ୍ତୁତି ସରକାର ଶୀଘ୍ର ଓ ଆଗୁଆ କରିପାରିବେ। ତେଣୁ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗ୍ରହଣ କରି ଅଧ୍ୟୟନ କରିବାକୁ RMRCକୁ କହିଛି।

RTPCR ଟେଷ୍ଟ ଜରିଆରେ ସାମ୍ପଲ ଟେଷ୍ଟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଅଧ୍ୟୟନ ହେବ। ପରେ ରାଉରକେଲ ଓ ଅନ୍ୟ ସହରରେ ଏଭଳି ପରୀକ୍ଷଣ କରାଯିବ।

ଆମ ଦେଶର ବିଭିନ୍ନ ରାଜ୍ୟର ସହରରମାନଙ୍କରେ ଏଭଳି ଅଧ୍ୟୟନ କରି କୋଭିଡ୍ ସ୍ଥିତି ଜାଣି ହେଉଛି। ଯାହା ଫଳରେ କୋଭିଡ୍‌ର ପରବର୍ତ୍ତି ଲହର ନେଇ ଅନୁମାନ ଲଗାଯାଇପାରୁଛି। ତେଣୁ ଏଭଳି ଅଧ୍ୟୟନ ଓଡ଼ିଶାରେ କରାଯିବ। କେଉଁଠାରୁ ନମୁନା ସଂଗ୍ରହ କରାଯିବ, କେତେ ପରିମାଣରରେ ନମୁନା ସଂଗ୍ରହ କରାଯିବ, ସେନେଇ ICMR ଟିମ୍ ଅଧ୍ୟୟନର ନୀତି ଅନୁଯାୟୀ RMRC କାମ କରିବ। ସ୍ଥିତି ଦେଖିବା ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ନୀତି ନିର୍ଦ୍ଧାରଣ କରାଯିବ। ତେବେ RMRC କେବେ କାମ ଆରମ୍ଭ କରିବ ଖୁବ୍‌ଶୀଘ୍ର ଏହା ଜଣାପଡ଼ିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।