ଓଡ଼ିଶାରେ କୋଭିଡ୍ ଦୁର୍ନୀତି ହେଉଛି ଶତାବ୍ଦୀର ସର୍ବଶ୍ରେଷ୍ଠ ଦୁର୍ନୀତି: ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କୋଭିଡ୍ ଦୁର୍ନୀତି ହେଉଛି ଶତାବ୍ଦୀର ସର୍ବଶ୍ରେଷ୍ଠ ଦୁର୍ନୀତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଭଲ ନାହିଁ । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏବେ ଆଇସିୟୁରେ ଅଛି। ଆଜି ଏଭଳି କିଛି କଡ଼ା ଭାଷାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅପରାଗତାକୁ ବିରୋଧୀ ଦଳର ସଦସ୍ୟମାନେ ବିଧାନସଭାରେ ସମାଲୋଚନା କରିଛନ୍ତି। ବିରୋଧୀଙ୍କ କକ୍ଷତ୍ୟାଗ ମଧ୍ୟରେ ବିଧାନସଭାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୯୧୬୧ କୋଟି ୫୩ଲକ୍ଷ ୫୪ହଜାର ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଛି।

ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ ଯେ, ସମଗ୍ର ରାଜ୍ୟରେ ୭୦ ପ୍ରତିଶତ ଡାକ୍ତରୀ ପଦବୀ ଖାଲି ପଡ଼ିଛି। କମ୍ପାଉଣ୍ଡରମାନେ ଏବେ ଡାକ୍ତର ସାଜି ମେଡିକାଲରେ ରୋଗୀ ଦେଖୁଛନ୍ତି। ଗ୍ରାମାଂଚଳରେ ସ୍ୱାସ୍ଥ୍ୟ ସେବା ଅବସ୍ଥା ନକହିଲେ ଭଲ। ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଏବେ ଆଇସିୟୁରେ ଅଛି। ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଭଲ ନାହିଁ। ପଶ୍ଚିମ ଓଡ଼ିଶାରେ ଥିବା ବୁର୍ଲର୍ା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବେ ବୁଡ଼ିଲା ମେଡ଼ିକାଲ ହୋଇଛି । ସେଠିକି ଯିଏ ଯିବ ସେ ବୁଡ଼ିଯିବ। କୋଭିଡ୍ ଦୁର୍ନୀତି ହେଉଛି ଶତାବ୍ଦୀର ସର୍ବଶ୍ରେଷ୍ଠ ଦୁର୍ନୀତି। କୋଭିଡ୍ ରୋଗୀଙ୍କ ଖାଇବା, ରହିବା ଓ ପାଇଖାନା ବ୍ୟବସ୍ଥା ନାହିଁ। ପାଇଖାନା ବ୍ୟବସ୍ଥା ନାହିଁ। ଏହା ହିଁ ହେଉଛି ରାଜ୍ୟ ସରକାରଙ୍କ କୋଭିଡ୍ ସଫଳତା ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି।

ସେହିପରି ବିରୋଧୀ ଦଳ ସଦସ୍ୟମାନେ ସରକାରଙ୍କ କୋଭିଡ୍ ଦୁର୍ନୀତି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଆଣ୍ଟିଜେନ୍ ଟେଷ୍ଟ ଦର ୪୦୦ଟଙ୍କା ଫିକ୍ସ କରିଥିବାବେଳେ ବାହାରେ ୧୨୦୦ଟଙ୍କା ନେଉଥିଲେ। ଆରଟିପିସିଆର ଟେଷ୍ଟ ଜରିଆରେ ଲୋକଙ୍କୁ ଲୁଟୁଥିଲେ। ବିଭିନ୍ନ ମେଡ଼ିକାଲ କଲେଜର ଫି’ ଷ୍ଟକଚର ଅନ୍ୟ ରାଜ୍ୟମାନଙ୍କଠୁ ବେଶ୍ ଅଧିକ । ବିଭିନ୍ନ ମେଡ଼ିକାଲ କଲେଜ ନିର୍ମାଣ ନେଇ କାହିଁକି କମନ ଟେଣ୍ଡର କରାଯାଉଛି ବୋଲି ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ।

ଏହାର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଥିଲେ ଯେ, କୋଭିଡ୍ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ସଫଳ ହୋଇଛନ୍ତି। ନୀତି ଆୟୋଗଙ୍କଠୁ ଆରମ୍ଭ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତେ ପ୍ରଶଂସା କରିଛନ୍ତି। ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏକି ଲକଡାଉନ୍ ଲାଗୁ କରିଥିଲା । ୭ଦିନ ଭିତରେ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରିଥିଲା। କଳିଙ୍ଗ କୋଭିଡ୍ ହସ୍ପିଟାଲ ଓ ସମ୍ କୋଭିଡ୍ ମଡେଲ ହସ୍ପିଟାଲ ଓଡ଼ିଶା କରିଥିଲା, ଯାହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛନ୍ତି। ରାଜ୍ୟରେ ଆରୋଗ୍ୟ ହାର ୯୯.୨୧ ଥିବାବେଳେ ଦେଶରେ ୯୫.୭୪ ପ୍ରତିଶତ ଅଛି। ସେହିପରି କୋଭିଡ୍ ରୋଗୀଙ୍କ ମୃତ୍ୟୁହାର ରାଜ୍ୟରେ ୦.୫୭ ଓ ଦେଶରେ ୧.୩୭ ପ୍ରତିଶତ ରହିଛି। ସମ୍ବଲପୁରରେ ଖୁବଶୀଘ୍ର ଡାଏଲେସିସ୍ ସେଣ୍ଟର ଖୋଲାଯିବ। ଏନେଇ ଆନୁଷ୍ଠାନିକ ନିଷ୍ପତ୍ତି ହୋଇସାରିଛି।

ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ ବିଜେପିର ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।