କଠୋର ହେଲେ ରାଜ୍ୟ ସରକାର: ବିବାହ ଉତ୍ସବରେ ୨୦୦, ଶୁଦ୍ଧିକ୍ରିୟାରେ ୫୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ। ପୂର୍ବରୁ ସର୍ବାଧିକ ସଂଖ୍ୟା ୫୦୦ ଥିଲା। ଏହାକୁ କମାଇ ୨୦୦କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଶାହ ଓ ଶୁଦ୍ଧିକ୍ରିୟାରେ ଏଣିକି ୫୦୦ ବଦଳରେ ୫୦ ଜଣଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ବେଶୀ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି।

ସୂଚନାରୁ ପ୍ରକାଶ, କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସ୍‌ପିମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସ୍‌ଆର୍‌ସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରମୁଖ ସାମିଲ ହୋଇଥିଲେ। ପରିସ୍ଥିତି ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ବୈଠକରେ RTPCR ଟେଷ୍ଟ ଅଧିକ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ ପାଇଁ ପ୍ରସ୍ତାବ ସହ ସହରାଞ୍ଚଳ ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ନ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ସେପଟେ ସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।