ଦିନେ ଥିଲା ଟାଙ୍ଗରା ଭୂଇଁ, ବର୍ଷେ ବିତିନି ହସୁଛି ଘଞ୍ଚ ଜଙ୍ଗଲ

ସମ୍ବଲପୁର(ସଞ୍ଜୟ କୁମାର ଜେନା): ଦିନେ ଥିଲା ପଥୁରିଆ ଟାଙ୍ଗରା ଭୂଇଁ। ଆଜି ଏଠାରେ ଘଞ୍ଚ ଜଙ୍ଗଲ ହସୁଛି। ଜାପାନୀ ବୃକ୍ଷରୋପଣ ପଦ୍ଧତି ଦ୍ୱାରା ମାତ୍ର ଏକ ବର୍ଷ ଭିତରେ ପଥୁରିଆ ଭୂମିରେ ସୃଷ୍ଟି ହୋଇ ପାରିଛି ଘଂଚ ଜଙ୍ଗଲ। ତେବେ ଜଙ୍ଗଲରେ କୌଣସି ବିଦେଶୀ କିସମ ନୁହେଁ ବରଂ ଲିମ୍ବ, ବେଲ, ବର, ଅଶ୍ୱତ୍ଥ ଭଳି ଦେଶୀୟ ଏବଂ ଔଷଧୀୟ ପ୍ରଜାତିର ଗଛ ଚାରା ଲାଗିଛି। ଗଛଗୁଡ଼ିକର ବୃଦ୍ଧି ପାଇଁ ରାସାୟନିକ ସାର ବଦଳରେ ବ୍ୟବହାର ହୋଇଛି ଜୈବିକ ଖତ। ସମ୍ବଲପୁର ଜିଲ୍ଲା ଟାଉନ ଫରେଷ୍ଟ ରେଂଜ ଅନ୍ତର୍ଗତ ପୋତାପାଲି ଗ୍ରାମ ପାଖରେ ସୃଷ୍ଟି କରାଯାଇଛି ଏହି ଜଙ୍ଗଲ।

ଏହି ଜଙ୍ଗଲ ସୃଷ୍ଟିର ଡ୍ରୋନ ଭିଜୁଆଲ ରେକର୍ଡ କରାଯାଇଛି। ବର୍ଷେ ତଳେ ଅର୍ଥାତ୍ ଗତ ବର୍ଷ ଅଗଷ୍ଟ ମାସରେ ଏହି ଟାଙ୍ଗରା ଭୂଇଁରେ ଗାତ ଖୋଳାଯାଇ ଚାରା ରୋପଣ କରାଯାଉଥିଲା। ଜାପାନର ଉଦ୍ଭିଦ ବିଜ୍ଞାନ ମିଆଓ୍ୱାକି ପଦ୍ଧତି ଦ୍ୱାରା ୧ ହେକ୍ଟର ଜମିରେ ଲଗାଯାଇଥିଲା ୭୦ ପ୍ରଜାତିର ୮ ହଜାର ଲିମ୍ବ, ବେଲ, ଅର୍ଜୁନ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରି, ବର, ଅଶ୍ୱତ୍ଥ, ପିଜୁଳି ପ୍ରଭୃତି ଗଛ। ପିଜୁଳି ଗଛରେ ଫଳ ଆସିଗଲାଣି। ପକ୍ଷୀମାନେ ଜଙ୍ଗଲରେ ବସା ବାନ୍ଧିଲେଣି। ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦରେ ସ୍ଥାନଟି ଖୁବ୍ ବୈଭବପୂର୍ଣ୍ଣ ହୋଇ ଉଠିଛି। ଏହି ଗଛ ସବୁକୁ ଦେଖିଲେ ଆଦୌ ଜାଣି ହେବନି ଯେ, ଏସବୁ ଗଛ ମାନଙ୍କର ବୟସ ମାତ୍ର ବର୍ଷେ। ସେପଟେ ବୀର ସୁରେନ୍ଦ୍ର ସାଏ ପ୍ଲାଣ୍ଟେସନ ନାମରେ ଏହି ପ୍ରକଳ୍ପର ନାମକରଣ କରାଯାଇଛି।

ଏନେଇ ଡି.ଏଫ.ଓ. ବିଶ୍ୱନାଥ ନିଲନ୍ନଓ୍ୱର କହିଛନ୍ତି, ଏହି ପଦ୍ଧତିରେ ଗଛ ଗୁଡିକୁ ଖୁବ ପାଖାପାଖି ରୋପଣ କରାଯାଇଛି। ଫଳତଃ ସୂର୍ଯ୍ୟାଲୋକ ପାଇବା ପାଇଁ ଗଛମାନଙ୍କ ଭିତରେ ସ୍ୱତଃ ପ୍ରତିଯୋଗିତା ସୃଷ୍ଟି ହୋଇ ସେମାନଙ୍କ ଉଚ୍ଚତାରେ ବୃଦ୍ଧି ଘଟିଛି। ଏଠାରେ ଯାହାର ସଫଳତା ଦେଖିବାକୁ ମିଳିଛି। ଆଗକୁ ଅନ୍ୟସ୍ଥାନରେ ଏହାର ପ୍ରୟୋଗ କରାଯାଇ ଜଙ୍ଗଲ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।

ବର୍ଷେ ତଳେ ପୋତା ଯାଇଥିବା ଗଛ।

ଟାଉନ ବନାଂଚଳ ଅଧିକାରୀ ପୃଥ୍ୱୀରାଜ ବେହେରା ଓ ଫରେଷ୍ଟର ମନୋଜ କୁମାର ବେହେରା କହିଛନ୍ତି, ପ୍ରତି ଗଛ ମଧ୍ୟରେ ଦୂରତା ମାତ୍ର ୧ ମିଟରରୁ ୦.୬ ମିଟର ମଧ୍ୟରେ ରଖାଯାଇଛି। ଗୁଡ଼, ଗୋମୂତ୍ର, ଗୋବର, ବେସନ ଓ ଶାଳ ଗଛ ମୂଳର ମାଟିକୁ ପାଣି ସହ ମିଶାଇ ପ୍ରସ୍ତୁତ ଜୈବିକ ଖତ ବ୍ୟବହାର ହୋଇଛି। ଏହାର ପ୍ରୟୋଗ ଦ୍ୱାରା ଗଛଗୁଡିକ ଶୀଘ୍ର ବଢ଼ି ଚାଲିଛି। ଏହାଛଡ଼ା ଗଛଗୁଡ଼ିକରେ ନିୟମିତ ପାଣି ଦିଆଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।