ସାଲେପୁର(ମନୋଜ ଆଚାର୍ଯ୍ୟ): ମଶାଣି ନାଁ ଶୁଣିଲେ ମନରେ ଛନକା ପଶେ । ପରିସ୍ଥିତିରେ ପଡ଼ି ଥରେ ମଶାଣି ଯାଇଥିବା ବ୍ୟକ୍ତି ଜୀବନରେ ଆଉ କେବେ ସେଠାରେ ପାଦ ନ ପକାଇବାକୁ ମନେ ମନେ ଭଗବାନଙ୍କୁ ଡାକୁଥାଏ। ହେଲେ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏପରି ଜଣେ ମଣିଷ ଅଛନ୍ତି ଯିଏ ମଶାଣିକୁ ହିଁ ନିଜ ଠିକଣା କରି ଦେଇଛନ୍ତି। ସେଇଠି ତାଙ୍କ ଦିନ ଆରମ୍ଭ ହୁଏ , ରାତିବି କଟେ ସେଇଠି। ଏପରି ମଣିଷ ହେଉଛନ୍ତି କଟକ ଜିଲ୍ଲା ସାଲେପୁର ନିକଟ ସାଇଗଡା ଗାଁର ପଦ୍ମନାଭ ସାହୁ ।
୩୦ ବର୍ଷ ହେଲା ଗାଁ ମଶାଣିରେ ରୁହନ୍ତି ପଦ୍ମନାଭ । ନା ଅଛି ଭୂତ ପ୍ରେତର ଭୟ ନା ଛୁଆଁ ଅଛୁଆଁ ମନୋଭାବ । ୩୦ ବର୍ଷ ତଳେ ଜଣେ ଅତି ଅନ୍ତରଙ୍ଗ ବନ୍ଧୁଙ୍କ ମୃତ୍ୟ ପରେ ତାଙ୍କ ଜୀବନରେ ଏହି ଦର୍ଶନ ସୃଷ୍ଟି ହୋଇଛି । ବନ୍ଧୁ ଯିବା ପରେ ଏହି ମଶାଣୀକୁ ହିଁ ଜୀବନର ଶେଷ ସ୍ଥାନ ବୋଲି ଗ୍ରହଣ କରି ସେଇଠାରେ ହିଁ ଜୀବନ କାଟୁଛନ୍ତି ପଦ୍ମନାଭ ।
ମଶାଣିକୁ ସଫା ସୁତୁରା କରି ସେଠାରେ ବିଭିନ୍ନ ଫୁଲ ଗଛ ବି ଲଗାଇଛନ୍ତି । ମହାଦେବଙ୍କ ଫଟୋ ଲଗାଇ ପ୍ରତିଦିନ ପୂଜା ବି କରନ୍ତି ସେ । ଯେଉଁଠି ମଣିଷ ପୋଡି ପାଉଁଶ ହୁଏ ସେଇଠି ସେ ଶୁଅନ୍ତି ଆଉ ଶବ ସତ୍କାରରେ ସହଯୋଗ କରନ୍ତି । ମୂଲ ଲାଗି ପେଟ ପୋଷୁଥିବା ପଦ୍ମନାଭ ନିଜ ପରିବାରଠୁ ଦୁରରେ ରହି ଏହି ମଶାଣିକୁ ହିଁ ନିଜର ଶେଷ ସ୍ଥାନ ବୋଲି କୁହନ୍ତି । ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ମଶାଣି ମଣିଷ ଭାବେ ପରିଚିତ
ଦୁନିଆରେ କିଛି ନାହିଁ । ମଶାଣି ହିଁ ଶେଷ ସ୍ଥାନ । ଯିଏ ମଲେ ପୋଡ଼ିବାକୁ ଆସେ। ଜାତି ଅଜାତି ଭାବେନି। ଏହାକୁ ସଫାସୁତୁରା ରଖେ। ରାତି ପାହିଲେ ଏଇଠି ବୋଲି କହିଛନ୍ତି ପଦ୍ମନାଭ
ଏ ସମ୍ପର୍କରେ ପିତାମ୍ବର ନାମକ ସ୍ଥାନୀୟ ଲୋକ କହିଛନ୍ତି , ପଦ୍ମନାଭ ନିସ୍ୱାର୍ଥପର ଭାବେ, ବିନା ପାରିଶ୍ରମିକରେ ସେ ଏଠାରେ ଶବଦାହ କରନ୍ତି। ଯେତେବେଳେ ଟିକେ ଫାଙ୍କା ସମୟ ପାଆନ୍ତି ଏଠାରେ ବିଭିନ୍ନ କାମରେ ନିୟୋଜିତ ହୁଅନ୍ତି।