ଲକଡାଉନ୍ ସତ୍ତ୍ୱେ ୨୦୨୦ରେ ରାଜ୍ୟରେ ବଢ଼ିଛି ଅପରାଧ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଅପରାଧ ସଂଖ୍ୟା ବଢ଼ି ଚାଲିଛି। ମାହାଙ୍ଗାରେ ଦୁଇ ଦୁଇ ଜଣ ବିଜେପି ନେତାଙ୍କ ମୁଣ୍ଡ ଗଡ଼ିବା ହେଉ କି ନୟାଗଡ଼ରେ କୁନି ଝିଅ ପରୀକୁ ହତ୍ୟା। ସେହିପରି ଭୁବନେଶ୍ୱର ଆଇଆରସି ଭିଲେଜରେ ଘରେ ପଶି ଲୁଟ୍ ସହ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଯୋଗୁଁ ମୃତ୍ୟୁ ଘଟଣା। ୨୦୨୦ ବର୍ଷ ଅଧିକାଂଶ ସମୟରେ ଲକଡାଉନରେ ବିତିଥିବା ବେଳେ ଏହି ସମୟରେ ହିଁ ଘଟିଥିଲା ଏଭଳି ଏକାଧିକ ରକ୍ତରଂଜିତ ଅପରାଧ। ମହାମାରୀର ମହାବିପତ୍ତି ସତ୍ତ୍ୱେ ୨୦୨୦ରେ ସଂଗୀନ ଅପରାଧର ଧାରାକୁ ରୋକାଯାଇ ପାରିନି। ୨୦୨୦ରେ ରାଜ୍ୟରେ କେତେ ଅପରାଧ ଘଟିଛି, ସେ ନେଇ ଗୃହରେ ବିବୃତ୍ତି ରଖିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ।

ଆଜି ବିଧାନସଭାରେ ଆଖି ତରାଟିଲା ଭଳି ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ୨୦୨୦ରେ ରାଜ୍ୟରେ ୨ ହଜାର ୯୮୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅର୍ଥାତ ପ୍ରତିଦିନ ୮ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ୨୦୧୯ ଅପେକ୍ଷା ୨୦୨୦ରେ ମହିଳାଙ୍କ କ୍ଷେତ୍ରରେ ରାଜ୍ୟରେ ଅପରାଧ ହାର ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ସଦ୍ୟ ପ୍ରକାଶିତ ଏନସିଆରବି ରିପୋର୍ଟ ବି ଦର୍ଶାଇଥିଲା ମହିଳା ନିର୍ଯାତନା କ୍ଷେତ୍ରରେ ଦେଶରେ ଓଡ଼ିଶାର ସ୍ଥାନ ୨ ନମ୍ବର। ଏଭଳି ସ୍ଥିତିରେ ଆଜି ବିଧାନସଭାରେ ଗୃହମନ୍ତ୍ରୀଙ୍କ ଉତ୍ତରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ। ତାସହ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଆଇନଶୃଙ୍ଖଳା କଥା ସରକାରଙ୍କ ହାତରୁ ସମ୍ପୂର୍ଣ୍ଣ ଚାଲିଯାଇଛି। ଯେଉଁ କାରଣରୁ ଲୋକଙ୍କର ଶାନ୍ତିରେ ରହିବା କିମ୍ବା ସୁରକ୍ଷା ପାଇବା କଥା ଆଜି ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇଛି। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ରାଜ୍ୟ ସରକାରଙ୍କର ନିୟନ୍ତ୍ରଣରେ ଆଉ ଗୃହ ବିଭାଗ କିମ୍ବା ପୁଲିସ୍ ବିଭାଗ ନାହିଁ। ଏହିଭଳି ଭାବେ ଆଜି ରାଜ୍ୟରେ ୨୯୮୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜ୍ୟ ସରକାର ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ପୂରା ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ କହିଛନ୍ତି, ବିରୋଧୀଙ୍କ ପାଖରେ ଆଉ କିଛି ମୁଦ୍ଦା ନାହିଁ। ସେମାନେ ଆଲୋଚନାକୁ ନଆସି, ବିଭିନ୍ନ ପ୍ରକାରର ଆଳ ଦେଖାଉଥିବା ପ୍ରମିଳା ମଲ୍ଲିକ୍ କହିଛନ୍ତି।

ଗତବର୍ଷ ୧୪ଶହ ୭୦ଟି ହତ୍ୟା ମାମଲା ରୁଜୁ ହୋଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ଅର୍ଥାତ ଦୈନିକ ୪ ଜଣଙ୍କୁ ହତ୍ୟା କରୁଛନ୍ତି ଅପରାଧି। ସେପଟେ ପୂର୍ବବର୍ଷ ଅପେକ୍ଷା ସାଇବର ଅପରାଧ ଆହୁରି ବଢ଼ିଥିବା ଜଣାପଡ଼ିଛି। ୨୦୧୯ରେ ୧୪ଶହ ୭୫ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୪୫୬ଟି ମାମଲା ବଢ଼ି ସଂଖ୍ୟା ପହଞ୍ଚିଛି ୧୯୩୧ରେ। ରାଜଧାନୀକୁ ବି ସାଇବର ଲୁଟେରା ଛାଡ଼ିନାହାଁନ୍ତି।

ଡିସିପିଙ୍କ ତଥ୍ୟ ଅନୁଯାୟୀ, ଗତ ଜାନୁୟାରୀ-ଫେବ୍ରୁଆରୀରେ ୧ କୋଟିରୁ ଅଧିକ ଟଙ୍କାର ଚୁନ ଲଗାଇଛନ୍ତି ସାଇବର୍ ଅପରାଧୀ। ଭୁବନେଶ୍ୱର ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦୁଇ ମାସ ମଧ୍ୟରେ ଅଢ଼େଇ କୋଟିରୁ ଅଧିକ ଟଙ୍କା ଗୋଲ୍ କରିଦେଇଛନ୍ତି ଦୁର୍ବୃତ୍ତ। ଏହାବ୍ୟତୀତ ୧୭ଟି ଏଟିଏମ୍ ଲୁଟ୍ ଏବଂ ୫ଟି ବ୍ୟାଙ୍କ ମଧ୍ୟ ଲୁଟ୍ ହୋଇଥିବା ନେଇ ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।