କଟକ ମେୟର ନିର୍ବାଚନ ମାମଲା: ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ

କଟକ: କଟକ ମେୟର ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨୧ନମ୍ୱର ୱାର୍ଡ କର୍ପୋରେଟର ନିର୍ବାଚନ କରାଇବା ନେଇ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତେବେ ହାଇକୋର୍ଟ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେଇନାହାନ୍ତି। ଜାନୁୟାରୀ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

୨୧ ନମ୍ୱର ୱାର୍ଡରେ କନକଲତା ନାୟକ ନାମକ ମହିଳା ହାଇକୋର୍ଟରେ ଆବେଦନ କରିଥିଲେ। ଏଥିରେ ରାଜ୍ୟ ନିର୍ବାଚନ କମିଶନର, ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ, ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ସିଏମସିର ୨୧ ନମ୍ୱର ୱାର୍ଡ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ। ଏହାର କର୍ପୋରେଟର ପଦ ଖାଲି ଥିବା ଅବସ୍ଥାରେ ମେୟର ନିର୍ବାଚନ କରାଗଲେ ଏହା ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ ୨୦୦୩ର ଉଲଘଂନ ହେବ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏସବୁକୁ ଦୃଷ୍ଟିରେ ରଖି ଗତ ୮ ତାରିଖରେ ସିଏମସି ମେୟର ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।

ସେହିପରି ସିଏମସି ମେୟର ପଦବୀ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ ସମସ୍ତ କର୍ପୋରେଟରଙ୍କୁ ନୋଟିସ୍ ଜାରି ହେବ। ଆସନ୍ତା ୨୨ ତାରିଖରେ ଏହି ନିର୍ବାଚନ ହେବ।