କଟକ: ରାଜ୍ୟରେ ସ୍ୱାଇନ ଫ୍ଲୁ ଓ ଡେଙ୍ଗୁ ଜ୍ୱର ବେକାବୁ ହେବାରେ ଲାଗଛି। ସ୍ୱାଇନ ଫ୍ଲୁରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡେଙ୍ଗୁରେ ଆଜି ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହେଲାଣି। ଆଜି କଟକ ବଡ ଡାକ୍ତରଖାନାରେ ଆଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସନାତନ ନାୟକ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଟାଙ୍ଗରପଡ଼ାର ବୋଲି ଜଣାପଡିଛି। ଏହା ପୂର୍ବରୁ ଡେଙ୍ଗୁରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଥିଲା।
ଗତ ୨୦ଦିନ ହେଲା ସନାତନ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗତ ୧୨ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୨ଟାବେଳେ ସନାତନଙ୍କ ମୃତ୍ୟୁ ହୋଇଥିବା ନେଇ ଏସସିବି ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କଟକ ବଡ଼ ଡାକ୍ତରଖାନାରେ ବର୍ତ୍ତମାନ ସୁଦ୍ଧା ୩ଜଣ ରୋଗୀଙ୍କର ଡେଙ୍ଗୁ ଜ୍ୱରରେ ମୃତ୍ୟୁ ଘଟିଲାଣି।
ଏହା ପୂର୍ବରୁ ଏଠାରେ ୧୨ତାରିଖରେ ଭଦ୍ରକ ଜିଲ୍ଲା ବାସୁଦେବପୁରର ହରିହର ମଲ୍ଲିକଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତ ୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବିହାରର ସୋମ ପ୍ରକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିଲା।
କଟକ ବଡ଼ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇଛି। ଏହା ସହିତ ଡେଙ୍ଗୁ ରୋଗୀମାନଙ୍କର ମାଗଣାରେ ରକ୍ତ ପରୀକ୍ଷା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।