କଟକରେ ପ୍ଲାଷ୍ଟିକ ମାଞ୍ଜାଦିଆ ଗୁଡ଼ି ସୂତା ଉପରେ ବ୍ୟାନ୍

କଟକ: କଟକରେ ପ୍ଲାଷ୍ଟିକ ମାଞ୍ଜାଦିଆ ଗୁଡ଼ି ସୂତା ଉପରେ ବ୍ୟାନ୍ ଜାରି କରାଯାଇଛି।  କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏହି ବ୍ୟାନ ଜାରି କରିଛନ୍ତି। ତା’ ସହିତ ଘର ଛାତ ଓ ରାସ୍ତା ଉପରେ ଗୁଡି ଉଡ଼ାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଗୁଡ଼ି ବିକ୍ରି ହେଉଥିବା ଦୋକାନଗୁଡ଼ିକ ଉପରେ କଡ଼ା ନଜର ରଖାଯିବ। ଆସନ୍ତାକାଲି ଠାରୁ ଏକ ସ୍ପେଶାଲ ସ୍କ୍ୱାଡ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବ।

ଏ ସମ୍ପର୍କରେ ସୂଚନା ଦେଇ  ଜିଲ୍ଲାପାଳ କହିଛନ୍ତି, ‘ଆଜି ଆମେ ସିଭିଲ ସୋସାଇଟ ବୈଠକ ଡକାଇଥିଲୁ। ମାଞ୍ଜା ସୂତା ଓ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ  ଦୁର୍ଘଟଣା ଘଟୁଛି ବୋଲି  ସମସ୍ତେ ମତାମତ ଦେଇଥିଲେ। ଗୁଡ଼ି ସୂତା ଲାଗି ତେଲେଙ୍ଗାପେଣ୍ଠଠାରେ ୬ ବର୍ଷର ବାଳିକା ଶ୍ୱେତାଲିନାଙ୍କ ମୃତ୍ୟୁ ଘଟିଥିଲା। ସେଥିପାଇଁ  ଆମେ ଏହି ନିଷ୍ପତ୍ତି ନେଲୁ  ଯେ ପ୍ରଥମେ ସଚେତନା ସୃଷ୍ଟି କରିବୁ। ଆସନ୍ତାକାଲି ଠାରୁ ସ୍କ୍ୱାର୍ଡ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବୁ।  ମାଞ୍ଜିଆ ସୂତା,ପ୍ଲାଷ୍ଟିକ ସୂତା ବ୍ୟବହାର ଉପରେ ବ୍ୟାନ ଜାରି କରାଯାଇଛି। ଘର ଛାତ  ଉପରେ ଓ ରାସ୍ତାରେ ଯେପରି କେହି ଗୁଡ଼ି ନ ଉଡ଼ାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।  ଯେଉଁ ଜାଗାରେ  ଗୁଡି ଉଡ଼ାଇଲେ ରାସ୍ତା ଉପରକୁ ଗୁଡ଼ି ନ ଆସିପାରିବ, ବିପଦ ସୃଷ୍ଟି ନ କରିବ, ତା’ର ବ୍ୟବସ୍ଥା ମଧ୍ୟ କରିବୁ।  ଖୋଲାପଡ଼ିଆ ଓ ନଦୀପଠାରେ ଗୁଡ଼ି ଉଡ଼ାଇବାକୁ ଲୋକଙ୍କୁ ସଚେତନ କରାଯିବ।’

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି,  ଗୁଡି ନେଇ ସହରରେ ସଚେତନତା ସୃଷ୍ଟି କରାଯିବ।  ସହରର ଶାନ୍ତି କମିଟି, ପୂଜା କମିଟି ଓ ଯୁବକ ସଂଘଗୁଡ଼ିକ  ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ।

ବିଶେଷ କରି ସ୍କୁଲ ଓ କଲେଜମାନଙ୍କରେ ଗୁଡ଼ି ସମ୍ପର୍କରେ ସଚେତନ କରାଯିବା ପାଇଁ କୁହାଯିବ। ଗୁଡି ଉଡ଼ାଇବା ବେଳେ ପ୍ଲାଷ୍ଟିକ ସୂତା କିମ୍ବା ମାଞ୍ଜିଆ ସୂତା  ବ୍ୟବହାର ନ କରିବାକୁ   ପିଲାମାନଙ୍କୁ ସଚେତନ କରାଯିବ।  ଜନଗହଳି ସ୍ଥାନରେ ଗୁଡ଼ି ଉଡ଼ାଇବା ପାଇଁ ପିଲାମାନଙ୍କୁ ବାରଣ କରାଯିବ।

ଦୁଇ ଦିନ ତଳେ ଗୁଡ଼ି ସୂତା ଲାଗି ଶ୍ୱେତାଲିନା ନାମକ ଜଣେ ୬ବର୍ଷର ବାଳିକାର ମୃତ୍ୟୁ ଘଟଣାରେ ଆଜି ତାଙ୍କ ସ୍କୁଲର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ପିଲାମାନେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ଆସି ପୁରୀଘାଟ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସେମାନେ ଗୁଡିସୂତା ଉପରେ କଟକଣା ଜାରି କରାଯିବା ସହ ଏଭଳି ଦୁର୍ଘଟଣା ଏଡ଼ାଇବା ପାଇଁ ପଦକ୍ଷେପ ନିଆଯାଉ ବୋଲି ଦାବି କରିଥିଲେ।