ତୁଳସୀପୁର ଆକାଶବାଣୀ ଟ୍ରାନ୍ସମିଶନ କେନ୍ଦ୍ରରେ ଅଗ୍ନିକାଣ୍ଡ

କଟକ: କଟକ ତୁଳସୀପୁରସ୍ଥିତ ଆକାଶବାଣୀ ଟ୍ରାନ୍ସମିଶନ କେନ୍ଦ୍ରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଆକାଶବାଣୀ କଟକ ଏଫଏମ ସହ ତିନିଟି ଘରୋଇ ଏଫଏମ ସେବା ପ୍ରଦାନକାରୀ କମ୍ପାନୀର ବ୍ୟାପକ କ୍ଷୟକ୍ଷତି ହୋଇଛି। ସଟ୍ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଅଗ୍ନିକାଣ୍ଡ ପରେ ଆକାଶବାଣୀ କଟକ ଏଫଏମ୍ ସମେତ ୩ଟି ଯାକ ଘରୋଇ ଏଫଏମ୍ ସେବା ପ୍ରସାରଣରେ ବ୍ୟାଘାତ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡରେ ଅଧିକାଂଶ ଯାନ୍ତ୍ରିକ ସରଞ୍ଜାମ ନଷ୍ଟ ହୋଇଥିବା ଜଣାପଡ଼ିଛି।

ଆଜି ସକାଳ ପ୍ରାୟ ସାଢେ ୧୧ଟା ସମୟରେ ‘ରେଡିଓ ଚକଲେଟ’ର ସେକ୍ସନରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ନିଆଁ ବିଗ୍ ଏଫଏମ ଓ ପରେ ରେଡ ଏଫଏମ ସେକ୍ସନକୁ ବ୍ୟାପି ଯାଇଥିଲା। ଖବରପାଇ ଅଗ୍ନଶମ ବିଭାଗର ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଅଧିକାଂଶ ଯାନ୍ତ୍ରିକ ସରଞ୍ଜାମ ନଷ୍ଟ ହୋଇଯାଇଛି। ଏଥିରେ କ୍ଷୟକ୍ଷତିର ପରିମାଣ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ଅଗ୍ନିକାଣ୍ଡର କିଛି ସମୟ ପରେ ସରକାରୀ ଏଫଏମର ଟ୍ରାନ୍ସମିସନ୍ ଆରମ୍ଭ ହୋଇଥିଲା। ତେବେ ଅଗ୍ନିକାଣ୍ଡ ଯୋଗୁଁ ୩ଟି ବେସରକାରୀ ଏଫଏମ ସଂସ୍ଥାର ଟ୍ରାନ୍ସମିସନ୍ ବନ୍ଦ ରହିଛି। ପୁଣି ଥରେ ଏହି ଘରୋଇ ଏଫଏମ ସଂସ୍ଥାର ପ୍ରସାରଣ ଆରମ୍ଭ ଲାଗି ୨ରୁ ୩ଦିନ ସମୟ ଲାଗିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ରେଡ଼ ଏଫଏମର ତରୁଣ କୁମାର ରାୟ କହିଛନ୍ତି, ପ୍ରାୟ ୧୧.୪୦ରେ ଏହି ଅଘଟଣ ଘଟିଥିଲା। ରେଡ଼ିଓ ଚକୋଲେଟରେ ଏକ ବ୍ୟାଟେରୀ ଫାଟି ଯିବାରୁ ଏହି ଦୁର୍ଘଟଣା କଟିଛି। ସେଠାରୁ ଚାରିଆଡକୁ ନିଆଁ ବ୍ୟାପି ଯାଇଥିଲା। ଏବେ ବି ରେଡ଼ିଓ ଚକୋଲେଟର ରୁମରୁ ଧୂଆଁ ବାହାରୁଛି। ବର୍ତ୍ତମାନ ସମସ୍ତ ୩ଟି ଘରୋଇ ଏଫଏମ ଚ୍ୟାନେଲର ପ୍ରସାରଣ ବନ୍ଦ ରହିଛି। ଆସନ୍ତାକାଲି ସୁଦ୍ଧା ଆମେ ରେଡ଼ ଏଫଏମ୍ ଚାଲୁ କରିବାକୁ ଚେଷ୍ଟା କରୁଛୁ।

ସିଡିଏ ଦମକଳ କେନ୍ଦ୍ରର କର୍ମଚାରୀ କହିଛନ୍ତି, ୧୨ଟା ୫ରେ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଆସି ପହଞ୍ଚି ଥିଲୁ। କୋଠାର ଦୁଇପଟ ଦୂଆରୁ ପ୍ରବଳ ଧୂଆଁ ବାହାରୁ ଥିଲା। ଫଳରେ ଭିତରକୁ ଯାଇ ହୋଇ ନ ଥିଲା। ସାହାଯ୍ୟ ପାଇଁ କଟକ ଦମକଳ କେନ୍ଦ୍ରକୁ ଏକ ଟିମ ଓ ବିଏସେଟ ମାଗିଥିଲୁ। ବିନା ବିଏସେଟରେ ଭିତରେ ପଶି ନିଆଁ ଲିଭାଇବା ସମ୍ଭବ ନ ଥିଲା। କ୍ଷୟକ୍ଷତି ଆକଳନ କରାଯାଇନାହିଁ।