ଏଥର ଦୋଳ ମେଳଣରେ ହେବନି ଶୋଭାଯାତ୍ରା, ବାଜିବନି ବାଜା

କଟକ (ଓଡ଼ିଶା ରିପୋର୍ଟର): ଆଗକୁ ଆସୁଛି ଦୋଳ ଓ ହୋଲି ପର୍ବ। କରୋନା ମାମଲା ପୁଣିଥରେ ବ୍ୟାକ୍ କରିଥିବାରୁ ଏହି ଦୁଇଟି ବଡ଼ ପର୍ବ ପାଇଁ କଟକ ଡିସିପି ନୂଆ କୋଭିଡ୍ କଟକଣା ଜାରି କରିଛନ୍ତି। ଅର୍ଥାତ୍ ଏଥର ଦୋଳ ମେଳଣ କୋଡିଡ୍ କଟକଣା ଭିତରେ ପାଳନ କରାଯିବ। କୋଭିଡ୍ କଟକଣା ଅନୁଯାୟୀ, ଦୋଳ ମେଳଣ ପଡ଼ିଆରେ ୨୦୦ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ।

ସେହିପରି ପ୍ରତି ବିମାନ ସହ ବ୍ରାହ୍ମଣ, ଘଣ୍ଟୁଆକୁ ମିଶାଇ ସର୍ବାଧିକ ୧୦ଜଣଙ୍କୁ ରହିବାକୁ ଅନୁମତି ମିଳିବ। ଏହାସହ ସାହି ମେଳଣ ବେଳେ ଶୋଭାଯାତ୍ରା, ଲାଇଟ୍ ଓ ଜନଗହଳି ନକରିବାକୁ କଡ଼ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ମେଳଣ ବେଳେ କେହିବି ସାଙ୍ଗରେ ଲାଠି ଆଣିପାରିବେ ନାହିଁ ଏବଂ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ।

ହୋଲି ପାଇଁ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି। ଏକାସାଙ୍ଗରେ ବହୁ ସଂଖ୍ୟକ ଲୋକଙ୍କୁ ହୋଲି ଖେଳିବାକୁ ବାରଣ କରାଯାଇଛି। ହୋଲି ଦିନ କେହିବି ବାହାରକୁ ନବାହାରି ନିଜ ଘରେ ହୋଲି ରଙ୍ଗ ଖେଳିବାକୁ କୁହାଯାଇଛି। ହୋଲିରେ ଗୀତ, ନାଚ, ଡିଜେ ଆଦି ବଜାଇବାକୁ ବାରଣ କରିଛନ୍ତି ଡିସିପି।

ଗତ ତିନିଦିନ ହେବ କଟକରେ କରୋନା ମାମଲାରେ ପୁଣି ବୃଦ୍ଧି ହୋଇଛି। ଗୁରୁବାର କଟକର ଘରୋଇ ଶିକ୍ଷାନୁଷ୍ଠାନରେ ୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗୁରୁବାର କଟକରେ ମୋଟ ୨୦ଜଣ କରୋନା ପଜିଟିଭ୍ ବାହାରିଛନ୍ତି, ଯାହାକି ଦିନକରେ ରାଜ୍ୟରେ ସର୍ବାଧିକ।

ସେହିପରି ବୁଧବାର ୨୫ ଏବଂ ମଙ୍ଗଳବାର ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। କ୍ରମାଗତ ତିନି ଦିନରେ କରୋନା ମାମଲାରେ ହଠାତ୍ ବୃଦ୍ଧିକୁ ଆଖି ଆଗରେ ରଖି କଟକ ଡିସିପି ଚଳିତ ବର୍ଷ ଦୋଳ ଓ ହୋଲି ପର୍ବ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।