୨୩ରେ ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷ

କଟକ(ଓଡ଼ିଶା ରିପୋର୍ଟର) ଆସନ୍ତା ୨୩ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷ।  ଶତବାର୍ଷିକ ଉତ୍ସବକୁ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଟକ ବେଲ ଭ୍ୟୁ ଛକରେ ନିର୍ମାଣ ହୋଇଛି ରାଜ୍ୟର ସର୍ବବୃହର୍ତ୍ତ ଗାନ୍ଧିଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ ସେ କାଠଯୋଡୀ ନଦୀ ପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜ ମୂର୍ତ୍ତିରେ ପ୍ରଦର୍ଶନ କରାଯାଇଛି।

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ  କଟକ କାଠଯୋଡ଼ି ନଦୀ ପଠାରେ ଏକାଠି ହୋଇଥିଲେ କଟକ ଗସ୍ତରେ ଆସିଥିବା ଜାତିରପିତା ମାହାତ୍ମା ଗାନ୍ଧି, କସ୍ତୁରବା ଗାନ୍ଧୀ,ଗୋପବନ୍ଧୁ ଦାସ, ନିଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସଙ୍କ ଭଳି ସ୍ୱାଧିନତା ସଂଗ୍ରାମୀ । ଇଂରେଜମାନଙ୍କ ବିରୋଧରେ ଏକାଠି ପାଇଁ ସୃଷ୍ଟି କରାଯାଇଥିଲା ଜନ ଆନ୍ଦୋଳନ। ଗାନ୍ଧିଜୀଙ୍କ ଏହି ଗସ୍ତକୁ ଆଉ ଦିନ କେଇଟା ପରେ ଶହେ ବର୍ଷ ପୁରିବାକୁ ଯାଉଛି।  ସେହି ସମୟର ଏକ ଦୃଶ୍ୟପଟକୁ ନେଇ ଏବେ ବେଲ ଭ୍ୟୁ ଛକରେ ବ୍ରୋଞ୍ଜରେ ପ୍ରସ୍ତୁତ ହୋଇଛି ପ୍ରତିମୂର୍ତ୍ତି। ଏହା ଚଳିତ ମାସ ୨୩ ତାରିଖରେ ଉଦଘାଟନ ହେବ।  ୨୫ ଫୁଟ ଓସାର ଏବଂ ୧୨ ଫୁଟ ଉଚ୍ଚତାର ଏହି ପ୍ରତିମୂର୍ତ୍ତି କରିଛନ୍ତି ମୂର୍ତ୍ତି କାରିଗର ଲକ୍ଷ୍ମୀଧର ରଣା।  ତେବେ ଗାନ୍ଧିଙ୍କ ବିଷୟରେ ଅନେକ ଲୋକ ଜ୍ଞାନ ଗ୍ରହଣ କରିବାର ଏହା ସହାୟକ ହେବ ବୋଲି କହିଛନ୍ତି ଗବେଷକ।

ବେଲ ଭ୍ୟୁ  ଛକରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ବିରାଟ ପାର୍କ ମଧ୍ୟ କରାଯାଇଛି । ୨୩ ତାରିଖରେ କଟକ ରେଲେୱେ ଷ୍ଟେସନ୍ ନିକଟରୁଏକ ବିଶାଳ ପଦଯାତ୍ରା ବାହାର କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଏହା ଏକ ବିଶେଷ ଦିନ ହୋଇ ଥିବାରୁ ସେହିଦିନ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ପାଇଁ ଯୋଜନା ରହିଛି ବୋଲି କହିଛନ୍ତି ସିଏମ୍ସି କମିଶନର।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।