ଅପରେସନ ଡି’: ୮ମାସର ତୀକ୍ଷ୍ନ ନଜର ପରେ ଧରାପଡିଲେ ଧଳସାମନ୍ତ ବ୍ରଦର୍ସ

ଭୁବନେଶ୍ୱର: ରାତି ଅଧିଆ ଖବର ପାଇ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କୁ ଗିରଫ କରିନି। ଏ ଦୁଇଭାଇଙ୍କୁ ଗିରଫ କରିବାକୁ ପୋଲିସ ରଚିଥିଲା ଚକ୍ରବ୍ୟୁହ। ଆଉ ଏହି ଚକ୍ରବ୍ୟୁହର ନାଁ ରଖାଯାଇଥିଲା ‘ଅପରେସନ ଡି’। ଦୀର୍ଘ ୮ ମାସର ତୀକ୍ଷ୍ନ ନଜର ପରେ ସେମାନେ ପଡିଥିଲେ ପୋଲିସ ଫାସରେ। ଏହି ଦୁଇ ଭାଇଙ୍କର ଅପରାଧ ସାମ୍ରାଜ୍ୟର ଅନ୍ତ ଲାଗି ବଛା ବଛା ୫ଜଣ ପୋଲିସ ଅଧିକାରୀଙ୍କୁ ଦିଆଯାଇଥିଲା ଦାୟିତ୍ୱ।

ଗତ ଜୁଲାଇରୁ ଦୁଇ ଭାଇଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ଗୁପ୍ତରେ ତଥ୍ୟ ସଂଗ୍ରହ କରାଯାଉଥିଲା। ସୁଶୀଲ ନାଁରେ ଆଗରୁ କୌଣସି ମାମଲା ନ ଥିବାବେଳେ ବଡଭାଇ ସୁଶାନ୍ତ ନାଁରେ ଥିଲା ମର୍ଡର କେସ। ଏଥିପାଇଁ ତା’ ନାଁରେ ୱାରେଣ୍ଟ ମଧ୍ୟ ଥିଲା।। ସେମାନଙ୍କ ବିଶାଳ ନେଟୱର୍କ ସମ୍ପର୍କରେ ସୁରାକ ପାଇବା ପରେ ଦୁଇଭାଇଙ୍କୁ ଏକାଠି ଧରିବାକୁ ପ୍ରସ୍ତୁତ ହୋଇଥିଲା ‘ଅପରେସନ-ଡି’ର ବ୍ଲ୍ୟୁ-ପ୍ରିଣ୍ଟ। ଯାହାକୁ ପ୍ରସ୍ତୁତ କରିଥିଲେ ସେତେବେଳର ପୋଲିସ କମିଶନର ଆର.ପି. ଶର୍ମା ଓ କଟକ ଡିସିପି।

ସୂଚନା ଅନୁସାରେ ଏହି ଅପରେସନରେ ପୋଲିସ ଡି ବ୍ରଦର୍ସ ଗ୍ୟାଙ୍ଗରେ ଫିଟ କରିଥିଲା ଗୁପ୍ତଚର। ସୁଶୀଲ ନାଁରେ ନିକଟରେ ଚାଉଳିଆଗଞ୍ଜ ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ପରେ ପୋଲିସ ତତ୍ପର ହୋଇ ଉଠିଥିଲା। ଗୁପ୍ତଚରଠାରୁ ପକ୍କା ଖବର ମିଳିବା ପରେ ଜାନୁୟାରୀ ୨୮ ରାତିରେ ଭୁବନେଶ୍ୱର ଘର ଉପରେ ଚଢାଉ କରିଥିଲା ପୋଲିସ। ଆଉ ଶେଷରେ ପୋଲିସ ବିଛାଇଥିବା ଜାଲରେ ପଡି ଯାଇଥିଲେ ଦୁଇ ଭାଇ।

ଦୁଇଭାଇଙ୍କୁ ଗିରଫ କରିବା ବେଳେ ପୋଲିସ ହାତରେ ଲାଗିଛି ଗୁପ୍ତ ଡାଏରୀ, ସିଡି ଓ ଅନ୍ୟ ଡକ୍ୟୁମେଣ୍ଟ। ଏହାକୁ ଅଧାର କରି ପୋଲିସ ଏମାନଙ୍କ ସହ ଆଉ କିଏ ସମ୍ପୃକ୍ତ ଅଛି ତାକୁ ଧରିବାକୁ ଚଲାଇଛି ତନାଘନା।

ଡାଏରୀରେ କିଛି ଅବସର ପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ନାଁ ସହ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନମ୍ବର ମଧ୍ୟ ରହିଛି। ଏହାସହ ଟେଣ୍ଡର ଫିକ୍ସିଂ ସୂଚନା ମିଳିବା ପରେ କଟକ ସମେତ ପୂରା ଉପକୂଳ ଓଡ଼ିଶାରେ ଲମ୍ବିଥିବା ସାମ୍ରାଜର ଯାଞ୍ଚ ଆରମ୍ଭ କରି ଦିଆଯାଇଥିବା ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।