ଡି’ ବ୍ରଦର୍ସଙ୍କ କ୍ରିମିନାଲ ଓ ପଲିଟିକାଲ ଲିଙ୍କକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଦୁଇଭାଇଙ୍କ କ୍ରିମିନାଲ ଓ ପଲିଟିକାଲ ଲିଙ୍କକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଡି’ ବ୍ରଦର୍ସଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋକୁ ନେଇ ଆଜି ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ସୁଶୀଲ ସହ ଧର୍ମେନ୍ଦ୍ରଙ୍କ ପୂର୍ବରୁ ସମ୍ପର୍କ ଥିଲା। ରକ୍ତଦାନ ଶିବିର ପାଇଁ ହୋଇଥିବା ନିମନ୍ତ୍ରଣ ପତ୍ରରେ ଧର୍ମେନ୍ଦ୍ରଙ୍କ ନାଁ ନ ଥିଲେ ବି ସେ ଯୋଗଦେବାକୁ ନେଇ ଦଳ ପ୍ରଶ୍ନ ଉଠାଇଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଅତୀତରେ ସୁଶିଲ ନାଁରେ ମାମଲା ଥିଲା। ସେ ଆୟୋଜନ କରିଥିବା କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଯାଇଛନ୍ତି। ସେଥିରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ।  ସବୁ କଥା ଜାଣି ମଧ୍ୟ ସେଠିକି ଯାଇଛନ୍ତି। ନିମନ୍ତ୍ରଣ ପତ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ନାଁ ନ ଥାଇ ମଧ୍ୟ ସେ ଯାଇଥିଲେ। ନିଜକୁ ତାଙ୍କ ବନ୍ଧୁ ବୋଲି କହୁଛନ୍ତି। ଯଦି ବନ୍ଧୁ ତେବେ ସେମାନଙ୍କ ସମ୍ପର୍କରେ ଜାଣିଥିବେ ବୋଲି ପ୍ରତାପ ଅଭିଯୋଗ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ। ଗରିବ ଘର ପିଲା ମାଙ୍କଡ ମାରିଲେ ଦୋଷୀ। ସେମାନଙ୍କ ବଡ ବଡ ନେତାମାନଙ୍କ ଶୁଭେଚ୍ଛା ବାର୍ତ୍ତା ରହିବ ସେଇଟା ଉପରେ ପ୍ରଶ୍ନ ଉଠୁନି। ମୁଁ ମାନୁଛି ଏକ ରକ୍ତଦାନ ଶିବିର ସମାରୋହକୁ ଯାଇଥିଲି। ଏପରି କୌଣସି ବ୍ୟକ୍ତିଙ୍କ ସହ ମୋର କିଛି ବି ସମ୍ପର୍କ ନାହିଁ। ମୁଁ ଜାଣିଥିଲେ କଦାପି ଯାଇ ନ ଥାନ୍ତି ବୋଲି ସେ କହିଛନ୍ତି।

ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି, ଡି’ ବ୍ରଦର୍ସ ସାମ୍ରାଜ୍ୟ ବଢିବାରେ ବିଜେଡି ସରକାରଙ୍କ ହାତ ରହିଛି। କେମିତି ଓ କାହା ଛତ୍ରଛାୟା ତଳେ ସେ ଶହ ଶହ କୋଟି ଟଙ୍କାର ମାଲିକ ହେଲେ ତାହାର ତଦନ୍ତ ହେବା ଦରକାର।

ସେହିପରି ଡି’ ବ୍ରଦର୍ସଙ୍କ ପଲିଟିପାଲ ଲିଙ୍କର ତଦନ୍ତ ହେଉ ବୋଲି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି । ସେ ଆହୁରି କହିଛନ୍ତି, ଏପରି ବ୍ୟକ୍ତି ସବୁବେଳେ ରାଜନୈତିକ ଛତ୍ରଛାୟା ଖୋଜିଥାନ୍ତି ନିଜର ସୁରକ୍ଷା ପାଇଁ। ସେମାନଙ୍କ କୌଣସି ନିର୍ଦ୍ଦିଷ୍ଟ ଦଳ ନ ଥାଏ। ଯଦି ସେପରି କୌଣସି ରାଜନେତାଙ୍କ ଛତ୍ରଛାୟା ତଳେ ସେମାନେ ଥିବେ ପୋଲିସ ତଦନ୍ତ କରୁଛି, ଶୀଘ୍ର ପଦାକୁ ଆସିଯିବ।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଆଜି କାହିଁକି ଧରିଲେ। ୧୫ରୁ ୧୬ ବର୍ଷ ହେଲା କାହିଁକି ଧରୁ ନ ଥିଲେ। କାହା ଶଶସନ କାଳରେ ସେମାନେ ଏତେ ଅର୍ଥ ରୋଜଗାର କରିଛନ୍ତି ତାହାର ତଦନ୍ତ ହେବା ଦରକାର ଓ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦେବା ଦରକାର ବୋଲି ସେ କହିଛନ୍ତି।