ଦଲାଲକୁ ୩୦୦୦ ଟଙ୍କା ଦେଇ ଭାରତକୁ ଅନୁପ୍ରବେଶ କରିଥିଲେ ବାଂଲାଦେଶୀ

ଭୁବନେଶ୍ୱର: ୩ ହଜାର ଟଙ୍କା ଲାଞ୍ଚ ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିଲା ବୋଲି ଗିରଫ ହୋଇଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ଏମଡି ବସିର କହିଛି। ଆଜି ଓଟିଭିକୁ ସାକ୍ଷାତକାର ଦେଇ ସେ କହିଛି ବାଂଲାଦେଶର ଜଣେ ଦଲାଲ ଭାରତ ଆସିବାକୁ ସହଯୋଗ କରିଥିଲା। ଜଙ୍ଗଲ ରାସ୍ତାରେ ବୁଙ୍ଗା ଅଞ୍ଚଳ ଦେଇ ସେ ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିଲା। ଭାରତରେ ବହୁ ମେଳା ଲାଗିଥାଏ ଓ ସେଥିରେ ଭଲ ବ୍ୟବସାୟ ହୋଇଥାଏ। ତେଣୁ ଏଠାକୁ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଦୁଇମାସ ପୂର୍ବେ ଆସିଥିଲି।

ସେହିପରି ସେ ଆହୁରି ମଧ୍ୟ କହିଛି, ଏଠିକାର ଜଣେ ଦଲାଲ ଜରିଆରେ ସାଉଦୀ ଆରବ ଯିବାକୁ ପାସପୋର୍ଟ ଲାଗି ଆବେଦନ କରିଥିଲି। ଏଥିପାଇଁ ଦଲାଲ ଜଣଙ୍କ ମୋ’ଠାରୁ ୧୭୦୦ ଟଙ୍କା ମଧ୍ୟ ନେଇଥିଲା। ଦଲାଲ ସମ୍ପର୍କରେ ତାକୁ ପଚରାଯିବାରେ ସେ ତା’ ନାଁ ମନେ ରଖି ନ ଥିବା କହିଥିଲା। ତେବେ ବାଂଲାଦେଶରେ ସେ ଅଟୋରିକ୍ସା ଚଳାଏ ବୋଲି ବସିର କହିଛି। ଯାଜପୁରରୁ ଗିରଫ ଅନ୍ୟ ୫ଜଣ ପୂର୍ବରୁ ଏଠାକୁ ଆସିଥିଲେ। ସେମାନେ ଗୋଟିଏ ଅଞ୍ଚଳର ହୋଇଥିଲେ ମଧ୍ୟ ସେ ଏକା ଭାରତ ଆସିଥିବା କହିଛି।

ଅନ୍ୟ ଗିରଫ ଅଭିଯୁକ୍ତ ସେଖ ସୁଆଗ କହିଛି ସେ ସମାନ ଦଲାଲକୁ ୨୦୦୦ ଟଙ୍କା ଦେଇ ଭାରତ ମଧ୍ୟକୁ ପ୍ରବେଶ କରିଥିଲି। ତେବେ ଅନ୍ୟ ଦେଶ ମଧ୍ୟକୁ ଏପରି ଲୁଚି ଛପି ପ୍ରବେଶ କରିବା ଆଇନ ବିରୋଧୀ ବୋଲି ସେ ଜାଣି ନ ଥିଲା। ଏ ସମ୍ପର୍କରେ ପଚାରି ଥିଲେ ମଧ୍ୟ ଦଲାଲ ଜଣଙ୍କ କିଛି ସମସ୍ୟା ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ସୁଆଗ କହିଛି।