ଦାମ ମାରିଲେ ବାଣ: କହିଲେ, ଅରିଜିନାଲ ଚାବି ହଜିଛି,ଡୁପ୍ଲିକେଟ୍‌ ଚାବି ଆସିଲା କେଉଁଠୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିବା ପ୍ରସଙ୍ଗରେ ସରଗରମ ରହିଛି ରାଜ୍ୟ ରାଜନୀତି। ବିଭିନ୍ନ ମହଲରେ ଏନେଇ ଚର୍ଚ୍ଚା ଚାଲିଛି। ତର୍କ ବିତର୍କ ମଧ୍ୟ ହେଉଛି। ଆଜି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ରତ୍ନଭଣ୍ଡାର ଚାବି ନେଇ ବର୍ଷିଛନ୍ତି। ସେ କହିଛନ୍ତି,“ଅରିଜିନାଲ ଚାବି ଦେଖିଲେ ଜଣେ ଡୁପ୍ଲିକେଟ ଚାବି କରିବ। ଯଦି ଅରିଜିନାଲ ଚାବି ହଜିଯାଇଛି, ତାହାହେଲେ ଡୁପ୍ଲିକେଟ ଚାବି କେଉଁଠୁ ଆସିଲା?

ସେ ଆହୁରି କହିଛନ୍ତି,“ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥ ସବୁବେଳେ ରହସ୍ୟମୟ। ତାଙ୍କୁ ନେଇ ଯେଉଁଭଳି ମନ୍ତବ୍ୟ ଦିଆଯାଉଛି ଓ ରାଜନୀତି କରାଯାଉଛି,ଏହା ଓଡ଼ିଆ ଜାତି ପାଇଁ ଗ୍ରହଣୀୟ ନୁହେଁ।”

ସେ କହିଛନ୍ତି,“୪୫ ବର୍ଷ ଭିତରେ କେବେ ରତ୍ନଭଣ୍ଡାର ଖୋଲାହେବା କଥା ଶୁଣିନାହିଁ। ୧୯୭୮ରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନମନ୍ତ୍ରୀ ଥିବା ବେଳେ ରତ୍ନଭଣ୍ଡାର ଖୋଲା ଯାଇଥିବା କୁହାଯାଉଛି। ସେତେବେଳେ କ’ଣ ମିଳିଲା, ଚାବି କୁଆଡ଼େ ଗଲା ସେ କହିବା କଥା। ତେବେ ଏହା ଏକ ରାଜନୈତିକ ଖେଳ ଭଳି ଲାଗୁଛି।”

ଦାମ କହିଛନ୍ତି,“ଜଗନ୍ନାଥଙ୍କ ରତ୍ନଭଣ୍ଡାର ଘର ସବୁଠୁ ମୂଲ୍ୟବାନ ଓ ପବିତ୍ର। ସେଠି ଏସବୁ କାରବାର କେମିତି ହେଉଛି? ମୁଁ ସେଥିପାଇଁ ଦୁଃଖ ପ୍ରକାଶ କରୁଛି। କିନ୍ତୁ କାହାକୁ ଦୋଷ ଦେବାକୁ ଚାହୁଁନାହିଁ।”

ସେ ଆହୁରି କହିଛନ୍ତି,“୪ରୁ ୫ ମାସ ତଳେ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଇଥିଲେ। ଚାବି ନ ମିଳିବାରୁ ରତ୍ନଭଣ୍ଡାର ନ ଖୋଲି ପଳାଇ ଆସିଲେ। ଯଦି ଡୁପ୍ଲିକେଟ୍‌ ଚାବି ଥିଲା,ଆଜି ପର୍ଯ୍ୟନ୍ତ କେମିତି ପାଇ ନ ଥିଲେ? ଏସବୁ ସନ୍ଦେହର କୁହେଳିକା ଭିତରେ ରହୁଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣ ଓ ହୃଦୟର ସ୍ପନ୍ଦନ। ତାଙ୍କର ଭଣ୍ଡାରଘରକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଛି, ସେମାନଙ୍କ କଥା ଜଗନ୍ନାଥ ବୁଝନ୍ତୁ।”

ପୁରୀ ଜିଲ୍ଲାପାଳ ଆଜିଯାଏଁ କାହିଁକି ସଠିକ ଭାବେ କିଛି କହୁ ନ ଥିଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି।

ତେବେ ଦାମଙ୍କ ମନ୍ତବ୍ୟ ଉପରେ ପୂର୍ବତନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି,“ଡୁପ୍ଲିକେଟ ଚାବି କଣ, ସେକଥା ମୁଁ ଜାଣି ନାହିଁ। ଡୁପ୍ଲିକେଟ ଚାବି ନେଇ ଆଇନରେ କିଛି ବ୍ୟବସ୍ଥା ନାହିଁ। ସରକାର କିଛି ଲୁଚାଇବାକୁ ଚାହୁଁଛନ୍ତି। ଜିଲ୍ଲାପାଳ କାହା ନିର୍ଦ୍ଦେଶରେ କାମ କରୁଛନ୍ତି କିଛି ବୁଝାପଡ଼ୁନି। ସଂପୂର୍ଣ୍ଣ ଘଟଣା ପାଇଁ ସରକାର ଦାୟୀ।”