ଶବ ଗ୍ରହଣ ନ କରିବା ପ୍ରସଙ୍ଗ: ପରିବାର ଲୋକଙ୍କୁ ଜିଲ୍ଲା ପ୍ରଶାସନର ୭୨ ଘଣ୍ଟିଆ ନୋଟିସ୍

deadbodyଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ସାହୁପଡ଼ା ଗ୍ରାମକୁ ୨୯ ଦିନ ପରେ ରବିବାର ଶ୍ରୀଲଙ୍କାରୁ ଫେରିଥିବା ଓଡ଼ିଆ ଶ୍ରମିକ ବିକାଶଙ୍କ ମୃତଦେହକୁ ଆଜି ବି ଗ୍ରହଣ କରିନାହାନ୍ତି ପରିବାର ଲୋକେ। ଫଳରେ ପ୍ରଶାସନ ପକ୍ଷରୁ ମୃତଶରୀରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖାଯାଇଛି ଏବଂ ଶବ ନେବା ଲାଗି ତାଙ୍କ ପରିବାର ଲୋକଙ୍କୁ ୭୨ ଘଣ୍ଟାର ମହଲତ ଦିଆଯାଇଛି। ଏହି ସମୟ ମଧ୍ୟରେ ବିକାଶଙ୍କ ପରିବାର ଲୋକେ ଶବ ନ ନେଲେ ପ୍ରଶାସନ ପକ୍ଷରୁ ତାହାକୁ ଅଜଣା ଶବ ବୋଲି ଘୋଷଣା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି,“ବିକାଶଙ୍କ ମୃତଦେହ ଶ୍ରୀଲଙ୍କାରୁ ଆଣିବା ପାଇଁ ତାଙ୍କ ବାପା ବାରମ୍ବାର ପ୍ରଶାସନକୁ ଅନୁରୋଧ କରିଥିଲେ। ଏନେଇ ଜିଲ୍ଲା ପ୍ରଶାସନ ଶ୍ରୀଲଙ୍କା ହାଇକମିଶନ୍ ଓ ଭାରତୀୟ ରେସିଡେନ୍ସ କମିଶନ୍‌ଙ୍କ ସହିତ ଯୋଗାଯୋଗ କରିଥିଲା। ଗୃହ ବିଭାଗ ସହିତ ବି ଯୋଗାଯୋଗ କରାଯାଇଥିଲା। ସବୁ ପ୍ରକାର ଉଦ୍ୟମ ପରେ ଗତକାଲି ତାଙ୍କ ଶବ ଆସି ଗାଁରେ ପହଞ୍ଚିଥିଲା। କିନ୍ତୁ ତାଙ୍କ ବାପା ମୃତଦେହ ଗ୍ରହଣ କରିବାକୁ ମନା କରି ଦେଲେ। ସେ ଆବଶ୍ୟକ କ୍ଷତିପୂରଣ ଦାବି କରୁଛନ୍ତି।”

ସେ କହିଛନ୍ତି,“ବିକାଶଙ୍କ ମୃତଦେହକୁ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବାଗାରରେ ରଖିଛୁ ଏବଂ ତାଙ୍କ ବାପାଙ୍କୁ ୭୨ ଘଣ୍ଟାର ନୋଟିସ୍ ଦେଇଛୁ। ୭୨ ଘଣ୍ଟା ମଧ୍ୟରେ ସେ ଶବ ଗ୍ରହଣ ନ କଲେ ଆମେ ଆଇନ ଅନୁସାରେ ଏହାକୁ ଅଜଣା ଶବ ବୋଲି ଘୋଷଣା କରିବୁ ଓ ପରବର୍ତ୍ତୀ ପଦକ୍ଷେପ ନେବୁ।”

ଗତକାଲି ବିକାଶଙ୍କ ମରଶରୀର ସାହୁପଡ଼ାରେ ପହଞ୍ଚିବା ପରେ ତାଙ୍କର ଭିସା, ପାସ୍‌ପୋର୍ଟ, ଶବବ୍ୟଚ୍ଛେଦ ରିପୋର୍ଟ ଓ ସେ ଚାକିରି କରୁଥିବା କଂପାନୀ ପକ୍ଷରୁ କ୍ଷତି ପୂରଣ ଦାବି କରି ପରିବାର ଲୋକେ ଶବ ଗ୍ରହଣ କରି ନ ଥିଲେ। ଗାଁ ଲୋକେ ବି ସେମାନଙ୍କୁ ସମର୍ଥନ କରିଥିଲେ। ଫଳରେ କିଛି ସମୟ ପାଇଁ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।