ଝିଅର ବଥ ହୋଇଥିଲା, ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଜୀବନ ଗଲା

ଝାରସୁଗୁଡ଼ା(ଭାଗୀରଥି ସାହୁ): ଡାକ୍ତର ଭୁଲ ଇଞ୍ଜେକସନ୍ ଦେବା ଯୋଗୁ ଚାଲିଗଲା ନାବାଳିକାର ଜୀବନ। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡ଼ା ଜିଲ୍ଲା  ବ୍ରଜରାଜନଗର ଥାନା ଅଞ୍ଚଳରୁ। ମୃତକ ହେଲେ ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରର ତୁଳସୀ ମହାନନ୍ଦ(୬) ବର୍ଷ।।

ଅଭିଯୋଗ ଅନୁସାରେ, ତୁଳସୀଙ୍କ ଶରୀରର କିଛି ସ୍ଥାନରେ ବଥ ହୋଇଥିଲା। ଗତକାଲି ପରିବାର ଲୋକେ ତାଙ୍କୁ ଗାନ୍ଧୀ ଛକରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଯାଇଥିଲେ। ସେଠାରେ ଡାକ୍ତର ସରୋଜ ପ୍ରଧାନ ନାବାଳିକାର ସ୍ୱାସ୍ଥ୍ୟ ପରୀକ୍ଷା କରି ଏକ ଇଞ୍ଜେକସନ୍ ଦେଇଥିଲେ।

ଇଞ୍ଜେକସନ ନେବାର କିଛି ସମୟ ପରେ ତୁଳସୀ ସଂଜ୍ଞାହୀନ ହୋଇ ତଳେ ପଡ଼ି ଯାଇଥିଲେ। ପରେ ଡାକ୍ତର ସରୋଜ ନିଜ କ୍ଲିନିକ୍ ଷ୍ଟାଫଙ୍କ ଦ୍ୱାରା କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ନାବାଳିକାର ଅବସ୍ଥା ଗୁରୁତର ଥିବା ଜାଣିପାରି ଝାରସୁଗୁଡ଼ାର ଏକ  ଘରୋଇ କ୍ଲିନକକୁ ପଠାଇ ଦେଇଥିଲେ।

ସେଠାରେ ଘରୋଇ କ୍ଲିନିକରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଥିଲା। ପରେ ପରିବାର ଲୋକ ମୃତଦେହକୁ ବ୍ରଜରାଜନଗର ଆଣିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତଦେହକୁ ବ୍ରଜରାଜନଗର ଥାନା ସମ୍ମୁଖରେ ରଖି ଧାରଣାରେ ବସିଥିଲେ ସ୍ଥାନୀୟ ଲୋକ ଓ ଗ୍ରାମବାସୀ। ନାବାଳିକାର ମୃତଦେହକୁ ଦୁଇ ଜଣ ବିଜ୍ଞ ଡାକ୍ତର ବ୍ୟବଚ୍ଛେଦ କରନ୍ତୁ। ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ଭୁଲ୍‌ ତଥ୍ୟ  ଦିଆ ନ ଯାଉ, ସଠିକ୍  ରିପୋର୍ଟ ଦିଆଯାଉ। ନାବାଳିକାକୁ ଉଚିତ ନ୍ୟାୟ ମିଳୁ ବୋଲି ସ୍ଥାନୀୟ ଲୋକ ଓ ଗ୍ରାମବାସୀ ଦାବି କରିଥିଲେ। ପୁଲିସ ଆନ୍ଦୋଳନକାରୀଙ୍କ ଦାବି ମାନି ନେବା ପରେ ସେମାନେ ଧାରଣାରୁ ଉଠିଥିଲେ।

ଏହି ଧାରଣାରେ କାଉନସିଲର ମମତା ନାୟକ, ପୂର୍ବ କାଉନସିଲର ତ୍ରିଲୋଚନ ଜାଲ ଓ ଧ୍ରୁବ ମହାନନ୍ଦ ସମେତ ୧୦୦ରୁ ଅଧିକ ଲୋକ ନାବାଳିକାକୁ ନ୍ୟାୟ ପାଇଁ ଥାନା ଆଗରେ ଧାରଣାରେ ବସିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।