ଦେବଗଡ଼ରେ ଦୁର୍ଘଟଣାଗ୍ରସ୍ତ ବସ୍‌ର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ ଏମ୍‌ଭିଆଇ

କଟକ: ଦେବଗଡ଼ ଜିଲ୍ଲା ଗଇଲୋ ଘାଟି ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ ମାଲିକଙ୍କୁ କଟକ ଏମ୍‌ଭିଆଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।  କଟକ ଏମ୍‌ଭିଆଇ ରଶ୍ମିରଞ୍ଜନ ଦଳବେହେରା କହିଛନ୍ତି,“ ୨୪.୪.୨୦୧୩ ମସିହାରୁ ବସ୍‌ଟିର ଫିଟ୍‌ନେସ୍ ସରି ଯାଇଛି। ଏନେଇ ଆମେ ତାଙ୍କୁ ଡିମାଣ୍ଡ ନୋଟିସ୍ ପଠାଇଥିଲୁ। ହେଲେ ସେ କିଛି ଉତ୍ତର ଦେଇ ନ ଥିଲେ। ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ’ଣ ପାଇଁ  ବସ୍‌ଟିର ଫିଟ୍‌ନେସ୍ କରାଯାଇ ନାହିଁ ଏନେଇ ବସ୍‌ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯିବ।”

ସୂଚନାଯୋଗ୍ୟ, ଯାତ୍ରା ପାର୍ଟିର କଳାକାରମାନଙ୍କୁ ନେଉଯାଉଥିବା ବସ୍‌ଟିର ଫିଟ୍‌ନେସ୍‌ ଭେଲିଡିଟି ସରିଯାଇଥିବା ଆରଟିଓ ୱେବସାଇଟ୍‌ରୁ  ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ ବସ୍‌ର  ମାଲିକ ହେଉଛନ୍ତି  କଟକ ସଦର ଆୟତ୍ତପୁର ନିମେଇଷପୁର ଦିଘିର   ତପନ କୁମାର ମହନ୍ତି। ବସ୍‌ଟି ୨୦୦୮ ମାର୍ଚ୍ଚ ୧୫ ତାରିଖରେ ପଞ୍ଜୀକୃତ ହୋଇଥିଲା। ଆଉ ଗାଡିର ଫିଟ୍‌ନେସ୍‌ ଭେଲିଡିଟି ୨୦୧୩ ଏପ୍ରିଲ୍‌ ୨୪ ତାରିଖ ପର୍ଯ୍ୟନ୍ତ ଥିଲା। ଗତ ୩ ବର୍ଷ ହେବ ବିନା ଫିଟ୍‌ନେସ୍‌ରେ ଗାଡି କିଭଳି ଚାଲୁଥିଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।