ଗଭୀର ଅବପାତ ଘୂର୍ଣ୍ଣିଝଡ଼ ‘ପେଥାଇ’ର ରୂପ ନେଲା, ଜାଣନ୍ତୁ ଏବେ କେଉଁଠି ରହିଛି

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ ‘ପେଥାଇ’ର ରୂପ ନେଇଛି। ‘ପେଥାଇ’ ବର୍ତ୍ତମାନ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବା ଆରମ୍ଭ କରିଛି। ଶେଷ ଖବର ସୁଦ୍ଧା ପେଥାଇ ଚେନ୍ନାଇଠାରୁ ୫୯୦ କିମି ଏବଂ ମଚ୍ଛଲିପଟନମଠାରୁ ୭୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପେଥାଇ ସମୁଦ୍ର ମଧ୍ୟରେ ଆହୁରି ଘନୀଭୂତ ହୋଇ ଭୀଷଣ ଝଡ଼ବାତ୍ୟାରେ ପରିଣତ ହେବ।

ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ସୋମବାର ମଧ୍ୟାହ୍ଣରେ ଆନ୍ଧ୍ରପ୍ରଦେଶର ମାଚ୍ଛଲିପଟନମ ଏବଂ କାକିନାଡ଼ା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ରହିବ ଏବଂ ସେହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ‘ପେଥାଇ’ ପ୍ରଭାବରେ ଆସନ୍ତାକାଲିଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ସେହିପରି ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ, ଗଭୀର ଅବପାତ ଘୂର୍ଣ୍ଣିଝଡ଼ ‘ପେଥାଇ’ର ରୂପ ନେବା କ୍ଷଣି ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠାରୁ ବର୍ଷା ଓ ପବନର ବେଗ ବୃଦ୍ଧି ପାଇବ। ୧୭ ତାରିଖ ଏବଂ ୧୮ ତାରିଖରେ ମଧ୍ୟ ଆନ୍ଧ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ପେଥାଇ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ଆଜିଠାରୁ ୧୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେହିପରି ୧୭ ତାରିଖରେ ଯଥା ସମ୍ଭବ ଘରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ତେବେ ‘ପେଥାଇ’ ଲ୍ୟାଣ୍ଡଫଲ କରିବା କ୍ଷଣି ଦୁର୍ବଳ ହୋଇ କେବଳ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଯିବ। ଏହାପରେ ଧୀରେଧୀରେ ଏହା ଲଘୁଚାପରେ ପରିଣତ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏପଟେ ଓଡ଼ିଶାରେ ଅଦିନିଆ ବର୍ଷାକୁ ଦେଖି ଚାଷୀଙ୍କ ମନରେ ଛନକା ପଶିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି।