କରୋନା ସଂକ୍ରମଣ ଆଶଙ୍କା ସତ୍ତ୍ୱେ ଡିସେମ୍ବର ୮ରୁ ଇକୋ ରିଟ୍ରିଟ୍ କରିବ ପର୍ଯ୍ୟଟନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ଋତୁରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହରୀର ଆଶଙ୍କା ମଧ୍ୟରେ ଡିସେମ୍ବର ୮ତାରିଖରୁ ଇକୋ ରିଟ୍ରିଟ୍ ଆରମ୍ଭ ହେବ।  ପାଶ୍ଚାତ୍ୟ ରାଷ୍ଟ୍ରରେ କରୋନା ମହାମାରୀ ପୁଣି ଫେରିଥିବାରୁ ଓଡ଼ିଶାରେ ଶୀତ ଋତୁରେ ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି, କିନ୍ତୁ ଏପଟେ ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ପକାଇ ଅର୍ଥ ଉପାର୍ଜନ ନିମନ୍ତେ ପର୍ଯ୍ୟଟନ ବିଭାଗ ବ୍ୟାକୁଳ ହୋଇପଡ଼ିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ଡିସେମ୍ବର ୮ରୁ ଫେବୃୟାରୀ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫ଟି ସ୍ଥାନ କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗିବାଡ଼ି ଓ ସାତକୋଶିଆରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଚାଲିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ୩ମାସିଆ ପର୍ଯ୍ୟଟନ କାର୍ଯ୍ୟକ୍ରମ ପାଇଁ ଆଜିଠୁ ଅନଲାଇନରେ ବୁକିଂ ମଧ୍ୟ ଆରମ୍ଭ ହୋଇଛି। କୋଭିଡ୍ ପ୍ରୋଟୋକଲକୁ ପାଳନ କରି ଏହି ପର୍ଯ୍ୟଟନ କାର୍ଯ୍ୟକ୍ରମ କରାଯିବ ଓ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ନିମନ୍ତେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ବିବିଧତାକୁ ଅନ୍ୱେଷଣ କରିବାର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ‘ଲାଇଫ୍ ଏବଭ୍ ଅଲ୍ ’ ଆଭିମୁଖ୍ୟକୁ ଆପଣାଇବା ନିମନ୍ତେ ରାଜ୍ୟ ପ୍ରଶାସନକୁ ବାରମ୍ବାର ପରାମର୍ଶ ଦେଉଥିବା ମୁଖ୍ୟମନ୍ତ୍ରୀ ଆଜି କିଭଳି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଅନୁମତି ଦେଲେ ଓ ନିଜେ ତା’ର ଲୋଗୋ ଉନ୍ମୋଚନ କଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଶୀତ ଋତୁରେ କରୋନାର ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ଥିବା କଥା ନିଜେ ମୁଖ୍ୟମନ୍ତ୍ରୀ ବାରମ୍ବାର କହୁଥିବାବେଳେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଦେଶବିଦେଶର ପର୍ଯ୍ୟଟକମାନେ ଆସିବାର ସମ୍ଭାବନା ରହିଛି। କରୋନା ମହାମାରୀରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀରରେ ଏହାର ପ୍ରଭାବ ଏକବର୍ଷ ପର୍ଯ୍ୟନ୍ତ ରହିବ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଆଜି ପରାମର୍ଶ ଦେଇଥିବାବେଳେ ପର୍ଯ୍ୟଟନ ବିଭାଗ କେଉଁ ଆଧାରରେ ‘ଇକୋ ରିଟ୍ରିଟ୍‌’ର ଆୟୋଜନ କରିବାକୁ ଆଗେଇ ଆସିଛି ତାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଏହି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ବିପଦ ରହିଥିବାବେଳେ ମୁଖ୍ୟମନ୍ତ୍ରୀ କିଭଳି ଏଥିରେ ପ୍ରଭାବିତ ହେଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଗତବର୍ଷ କୋଣାର୍କ ମେରାଇନ୍ ଡ୍ରାଇଭ ଇକୋ-ରିଟ୍ରିଟରେ ରାଜକୋଷରୁ ହୋଇଥିବା ଖର୍ଚ୍ଚକୁ ଭରଣା କରିନଥିବା ପର୍ଯ୍ୟଟନ ବିଭାଗ ଏବେ  ଇକୋ-ରିଟ୍ରିଟ୍ କରିବାକୁ ମାତ୍ରାଧିକ ଆଗ୍ରହ ଦେଖାଉଛି। ଏହି ବ୍ୟୟବହୁଳ ଇକୋ-ରିଟ୍ରିଟର ସୁବିଧା ନେବା ସାଧାରଣ ପର୍ଯ୍ୟଟକଙ୍କ ପକ୍ଷେ ସମ୍ଭବପର ହୋଇନଥିବା କେବଳ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଲୋକମାନେ ହିଁ ଏହାର ଫାଇଦା ନେଇପାରିବେ। ତେଣୁ ୩ମାସର ଏହି କାର୍ଯ୍ୟକ୍ରମରେ ହାତଗଣତି ନିର୍ଦ୍ଦିଷ୍ଟ ବର୍ଗର ପର୍ଯ୍ୟଟକମାନେ ଆସିବାର ସମ୍ଭାବନା ଥିବାବେଳେ କରୋନାର ଆଶଙ୍କା ମଧ୍ୟ ବ୍ୟବସାୟକୁ ପ୍ରଭାବିତ କରିବ। ତାହାସତ୍ତ୍ୱେ ପର୍ଯ୍ୟଟନ ବିଭାଗ କେଉଁ ନିର୍ଦ୍ଦିଷ୍ଟ ଲୁକାୟିତ ଉଦ୍ଦେଶ୍ୟ ରଖି ଏହାର ଆୟୋଜନ କରୁଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ପର୍ଯ୍ୟଟନ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଜଣେ ପ୍ରତିଷ୍ଠିତ ହୋଟେଲ ବ୍ୟବସାୟୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, କରୋନା ଯୋଗୁ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ପ୍ରଭାବିତ ରହିଛି। ହୋଟେଲଗୁଡ଼ିକ ଅତିବେଶୀରେ ୨୦ରୁ ୩୦ ପ୍ରତିଶତ ବ୍ୟବସାୟ କରୁଛନ୍ତି। ଗତବର୍ଷ କୋଣାର୍କ ଇକୋ-ରିଟ୍ରିଟ୍ କେବଳ ସରକାରୀ ଅଫିସର,ନେତା-ମନ୍ତ୍ରୀମାନଙ୍କର ଅବସର ବିନୋଦନର ସ୍ଥଳୀ ପାଲଟିଥିଲା। ରାଜ୍ୟ ବାହାରର ଜଣେ ଅଣଓଡ଼ିଆ ବ୍ୟବସାୟୀଙ୍କୁ ଫାଇଦା ଉଠାଇ ଏହି ଇକୋ-ରିଟ୍ରିଟରୁ କୋଟିକୋଟି ଟଙ୍କା ଉପାର୍ଜନ କରିଥିଲେ। କରୋନାର ଦ୍ୱିତୀୟ ଲହରୀ ଆସିବାର ଆଶଙ୍କା ଥିବାସତ୍ତ୍ୱେ ପର୍ଯ୍ୟଟନ ବିଭାଗ କାହିଁକି ପୁଣିଥରେ ନିଶ୍ଚିତ ବ୍ୟବସାୟିକ କ୍ଷତିର ସମ୍ଭାବନା ଥିବା ଇକୋରିଟ୍ରିଟ୍ କାର୍ଯ୍ୟକ୍ରମକୁ ୫ଟି ସ୍ଥାନରେ ଆୟୋଜନ କରାଇବାକୁ ନିଷ୍ପତ୍ତି ନେଲା, ତାହା ଯେକେହି ସହଜରେ ଅନୁମାନ କରିପାରିବ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।