ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ଓ ଦୁର୍ବ୍ୟବହାର

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ଓ ଦୁର୍ବ୍ୟବହାର ହୋଇଛି। ଆଜି ଜଣେ ସେବାୟତ ଏଭଳି କାଣ୍ଡ ଘଟାଇଥିବା ହବିଷ୍ୟାଳିମାନେ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ କରାଯାଇଥିବା ହବିଷ୍ୟାଳି ଶିବିରେ ଏହି ହବିଷ୍ୟାଳିମାନେ ରହୁଛନ୍ତି। ମାଡ଼ ଖାଇ ଜଣେ ହବିଷ୍ୟାଳିଙ୍କ ଗୋଡ଼, ହାତ ଓ ବେକରେ ଗୁରୁତର ଆଘାତ ଲାଗିଛି। ଏହି ହବିଷ୍ୟାଳି ଜଣକ ବ୍ରହ୍ମଗିରି ଅଞ୍ଚଳର କୁମାରୀ ନାୟକ ବୋଲି ଜଣାପଡ଼ିଛି। ଶ୍ରୀମନ୍ଦିରରୁ ହବିଷ୍ୟାଳି ଶିବିରକୁ ଫେରିବା ପରେ ସେ ଏନେଇ ସହାୟତା କେନ୍ଦ୍ରରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଜଣେ ସେବାୟତ ମାଗଣା ଖାଇବାକୁ ଆସିଛ ବୋଲି କହିଥିଲେ। ଏହାକୁ ବିରୋଧ କରିବାରୁ ସେବାୟତ ଜଣକ ଚଟକଣୀ ଓ ଧକ୍କା ମାରିଥିଲେ। ତେଣୁ ସେ ତଳେ ପଡିଯାଇଥିଲେ। ସେ ବଡ଼ କଷ୍ଟରେ ଶ୍ରୀମନ୍ଦିରରୁ ହବିଷ୍ୟାଳି ଶିବିରକୁ ଫେରିଛନ୍ତି। ମାଡ଼ ଜୋର ହୋଇଥିବାରୁ ସେ ଚାଲିବୁଲି ପାରୁନାହାନ୍ତି।

ଆଉ ଜଣେ ହବିଷ୍ୟାଳି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମଧ୍ୟ ଜଣେ ସେବାୟତ ଦୁର୍ବ୍ୟବହାର କରିଥିଲେ। ଏହା ତାଙ୍କୁ ଖୁବ୍ ଖରାପ ଲାଗିଲା, ତେଣୁ ଶ୍ରୀମନ୍ଦିରରେ ଠାକୁରଙ୍କୁ ଡାକି କାନ୍ଦିଥିଲେ। ତେଣୁ ଏହି ସେବାୟତ ପଳାଇଥିଲେ।

ତେବେ ଏ ସଂପର୍କରେ ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

ତେବେ ପବିତ୍ର କାର୍ତ୍ତିକ ମାସରେ ହବିଷ କରିବାକୁ ଆସିଥିବା ଭକ୍ତଙ୍କୁ ଶ୍ରୀମନ୍ଦିରରେ ଏପରି ଦୁର୍ବ୍ୟବହାର କରାଯିବା କଥାକୁ ସମସ୍ତ ମହଲରେ ନାପସନ୍ଦ କରାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।