ବିଳମ୍ବରେ ଚେତା ପଶିଲା, ବିଜେଡି ନେତ୍ରୀଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ପ୍ରାୟ ୧୨ଦିନ ପରେ ରାଜ୍ୟ ପୁଲିସର ଚେତା ପଶିଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ହସ୍ପିଟାଲରେ ୮ଦିନ ଧରି ମୃତ୍ୟୁ ସହ ସଂଘର୍ଷ ପରେ ଗତ ୨୦ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ନେତ୍ରୀଙ୍କ ମୃତ୍ୟୁର ୩ଦିନ ପରେ ପୁଲିସ ଡିଜି ଅଭୟ ଆଜି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଇଜି(ମଡର୍ଣ୍ଣାଇଜେସନ୍‌) ରେଖା ଲୋହାନୀଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏକ ଅପରାଧ ତଦନ୍ତ ମାମଲାରେ ତାଙ୍କ ପୁଅ ପ୍ରତି ଅନ୍ୟାୟ କରାଯାଇଥିବା ଅଭିଯୋଗରେ ଫେବୃୟାରୀ ୧୨ତାରିଖରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ପରିସରରେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମଦାହ ଉଦ୍ୟମ କରିଥିଲେ। ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲ । ଚିକିତ୍ସାଧୀନ ଅବସ୍ଥାରେ ୨୦ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ପୁଲିସ ଏସପିଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣାକୁ ରାଜ୍ୟ ସରକାର ସାମାନ୍ୟତମ ଗୁରୁତ୍ୱ ଦେଇନଥିଲେ। ଶାସକ ଦଳର ଜଣେ ନେତ୍ରୀ କେଉଁଭଳି ପରିସ୍ଥିତିରେ ଆତ୍ମଦାହ ଭଳି ନିଷ୍ପତ୍ତି ନେଲେ ତା’ର ଖୋଳତାଡ଼ କରିବାକୁ ମଧ୍ୟ ସରକାର କିମ୍ବା ପୁଲିସ ବିଭାଗ ଚାହିଁନଥିଲା। କିନ୍ତୁ ଶ୍ରୀମତୀ ମିଶ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ପୁଲିସ ଡିଜିଙ୍କ ମାଧ୍ୟମରେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ନିଜର ଜଣେ ଦଳୀୟ ନେତ୍ରୀଙ୍କ ଆତ୍ମଦାହ ଘଟଣାକୁ ଶାସକ ଦଳର ସଦସ୍ୟମାନେ ଏପର୍ଯ୍ୟନ୍ତ କାହିଁକିି ଗୁରୁତ୍ୱ ଦେଇନଥିଲେ ଓ କେଉଁ ପରିସ୍ଥିତିରେ ତାଙ୍କୁ ଏଭଳି ମରିବା ପାଇଁ ଛାଡ଼ି ଦିଆଗଲା ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।