ସ୍ତ୍ରୀଙ୍କୁ ଆଣିବାକୁ ଯାଇ ଗାଁ ଦାଣ୍ଡରେ ମାଡ଼ ଖାଇଲେ ଯୁବକ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଥିଲେ। ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିଲା କଳି। ଶେଷରେ ବାପଘରକୁ ଚାଲିଗଲା ସ୍ତ୍ରୀ। ୩ ବର୍ଷ ପରେ ନିଜ ଝିଅକୁ ଘରକୁ ଫେରାଇ ଆଣିବା ପାଇଁ ଆଜି ଯାଇଥିଲେ ବାପା ଉଦ୍ଧବ ସୋନି। ହେଲେ ତାଙ୍କ କଥାରେ ରାଜି ହେଲାନି ଝିଅ। ଏଥିରେ ବିଚଳିତ ହୋଇପଡ଼ିଥିଲେ ଉଦ୍ଧବ। ଆଉ ନିଜ ହିତାହିତ ଜ୍ଞାନ ହରାଇ ସ୍ତ୍ରୀକୁ ପଶୁଙ୍କ ପରି ହାତ ବାନ୍ଧି କାର୍‌ରେ ଉଠାଇ ଆଣୁଥିଲେ। ଶେଷରେ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇଲେ ଗାଁ ଲୋକଙ୍କଠାରୁ।

ଧର୍ମଗଡ଼ ଥାନା ଶିଳ୍ପୀ ଗାଁର ଉଦ୍ଧବ ସୋନି। ତାଙ୍କର ବାହାଘର ଗୋଲାମୁଣ୍ଡା ବ୍ଲକ ଗଇନ୍ଦିମୁଣ୍ଡା ଗାଁରେ ହୋଇଥିଲା। ବିବାହ ପରେ ସ୍ୱାମୀ-ସ୍ତ୍ରୀ ଛତିଶଗଡ଼ ଜଗଦଲପୁର ଚାଲି ଯାଇଥିଲେ। ହସ ଖୁସିରେ ଚାଲିଥିଲା ପରିବାର। ହଠାତ ସେମାନଙ୍କ ସଂସାରରେ ଲାଗିଲା ନିଆଁ। ଉଦ୍ଧବ ମାସ ମାସ ଧରି ଘରେ ଅନୁପସ୍ଥିତ ରହିଲେ। କାମ ଦାମ ମଧ୍ୟ କଲେ ନାହିଁ। ଯାହାଫଳରେ ପରିବାର ଚଳାଇବା ଉଦ୍ଧବଙ୍କ ସ୍ତ୍ରୀ ପକ୍ଷେ ସମ୍ଭବ ହେଉନଥିଲା। ସେଥିପାଇଁ ସେ କାମ କରିବାକୁ ଗଲେ। ଯାହାକୁ ଉଦ୍ଧବ ବିରୋଧ କଲେ। ଏପରିକି ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ମାଡ଼ ମାରିଲେ। ଦିନକୁ ଦିନ ଅତ୍ୟାଚାର ବଢ଼ିବାରୁ ନିଜ ଝିଅକୁ ଧରି ବାପ ଘରକୁ ଚାଲି ଆସିଲେ ଉଦ୍ଧବଙ୍କ ସ୍ତ୍ରୀ। ଦୀର୍ଘ ୩ ବର୍ଷ ଧରି ଗଇନ୍ଦିମୁଣ୍ଡାରେ ୧୦ ବର୍ଷର ଝିଅ ସହ ରହୁଥିଲେ।

ଆଜି ଉଦ୍ଧବ ତାଙ୍କର ୩ ଜଣ ସହଯୋଗୀଙ୍କ ସହ ଏକ କାର୍‌ରେ ଗଇନ୍ଦିମୁଣ୍ଡା ଗାଁକୁ ଆସିଥିଲେ। ପ୍ରଥମେ ଝିଅକୁ ସାଙ୍ଗରେ ନେବାକୁ ଡାକି ଥିଲେ। ମାତ୍ର ଝିଅ ଯିବାକୁ ମନା କଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଦ୍ଧବ ତାଙ୍କ ପତ୍ନୀଙ୍କ ହାତ ବାନ୍ଧି କାର୍‌ରେ ଭର୍ତ୍ତି କରି ନେଇଯାଇଥିଲେ। ଏହି ସମୟରେ ଶ୍ୱଶୁର ଘର ଲୋକେ ବିରୋଧ କରିଥିଲେ। ଏପରିକି ଉଦ୍ଧବଙ୍କ ଦୁଇ ସହଯୋଗୀଙ୍କୁ ବାନ୍ଧି ପକାଇଥିଲେ।

ସେମାନେ ଧର୍ମଗଡ଼ ଟାଉନ୍‌ର ଚାରିଛକ ଅତିକ୍ରମ କଲା ବେଳେ କିଛି ଯୁବକ କାର୍‌ ପଛ ପାର୍ଶ୍ୱରେ ବସିଥିବା ଜଣେ ମହିଳା କାଚ ବାଡାଉଥିବା ଦେଖି ବୋଡ଼େନା ଗାଁର ନିଜ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଗାଁ ଲୋକେ ସଙ୍ଗେସଙ୍ଗେ ଉକ୍ତ କାରକୁ ଅଟକାଇ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏପରିକି ଗାଡ଼ିର କାଚ ଭାଙ୍ଗିବା ସହିତ ଚାଳକ ଓ ଉଦ୍ଧବଙ୍କୁ ନିର୍ଦ୍ଧୁମ ଛେଚି ଥିଲେ। ଏ ସମ୍ପର୍କରେ ଖବର ପାଇ ଧର୍ମଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି।