ଢେଙ୍କାନାଳ, ଧାମରାରେ ହେବ ଇଣ୍ଡଷ୍ଟ୍ରିଆଲ୍ ପାର୍କ; ନିଯୁକ୍ତି ପାଇବେ ୩୬ ହଜାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ। ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଧାମରାରେ ଟେକ୍ସଟାଇଲ ଓ ଢେଙ୍କାନାଳରେ ହେବ ମେଡିକାଲ ପାର୍କ। ହଜାର ଏକର ଲେଖାଏଁ ଜମିରେ ପ୍ରତିଷ୍ଠା ହେବ ଦୁଇଟି ପାର୍କ। ଏହି ଶିଳ୍ପ ପାଇଁ ୬ରୁ ୭ ହଜାର କୋଟିର ପୁଞ୍ଜି ନିବେଶ ଆଶା କରାଯିବ। ଧାମରାରେ ୨୦ ହଜାର ଓ ଢେଙ୍କାନାଳରେ ୧୬ ହଜାରଙ୍କୁ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହେବ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ। ହୋଟେଲ ଓ ରେଷ୍ଟୁରାଣ୍ଟ ଲାଗି ଜମି ଯୋଗାଇ ଦେବ ଇଡ୍କୋ। ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟିର ସହାୟତା ଦିଆଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସେହିପରି ସୋସାଇଟି ଆକ୍ଟରେ ପରିବର୍ତ୍ତନ ନେଇ ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି। ଏଣିକି ସବୁ ସୋସାଇଟି ୫ ବର୍ଷରେ ଥରେ ନବୀକରଣ କରାଯିବ।

ସେହିଭଳି ଚାଷୀଙ୍କ ଉତ୍ପାଦିତ ଶସ୍ୟ, ପନି ପରିବା ବିକ୍ରି ପାଇଁ ଇ-ମାର୍କେଟ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିଛି। ଯାହାଦ୍ୱାରା ଚାଷୀ ନିଜ ଫସଲ ସହଜରେ ବିକ୍ରି କରିପାରିବ। ସେହିପରି ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପ୍ରାଧୀକରଣ-OREDA ଶକ୍ତି ବିଭାଗ ଅଧୀନକୁ ଆଣିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

ସେହିପରି କିଛି ଦିନ ତଳେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଭାଟ୍ ବଢ଼ାଇଥିଲେ। ଏନେଇ ବିଧିବଦ୍ଧ ଭାବେ ପ୍ରସ୍ତାବକୁ ଆଜି କ୍ୟାବିନେଟରେ ଅନୁମୋଦନ ମିଳିଛି। ଲକଡାଉନ୍ ପରେ ରାଜ୍ୟକୁ ଫେରିଥିବା ଦାଦନ ଶ୍ରମିକଙ୍କୁ ଏଣିକି ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ କୋର୍ସର ମାନ୍ୟତା ଦିଆଯିବ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା କରାଯିବ। ବିଶେଷ ଭାବେ ମାଗଣାରେ ଜୋତା ଓ ସ୍ୱେଟର ଯୋଗାଇ ଦିଆଯିବ। ବାଲେଶ୍ୱର ସଦର ହିଡ଼ିଗାଁରେ ୩ ଏକର ଜାଗାରେ NDRFର ଏକ ୟୁନିଟ୍ ପ୍ରତିଷ୍ଠା ହେବ। ଏଥିପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।