ବିଜେଡିକୁ ଶକ୍ତ ଧକ୍କା, ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଭଦ୍ରକ(ଓଡ଼ିଶା ରିପୋର୍ଟର): ପୂର୍ବତନ ବିଧାୟକ ତଥା ଅସନ୍ତୁଷ୍ଟ ବିଜେଡି ନେତା ରାଜେନ୍ଦ୍ର ଦାସଙ୍କର ମାନଭଞ୍ଜନ କରିପାରିଲା ନାହିଁ ବିଜେଡି। ଶେଷରେ ଦଳକୁ ମିଳିଲା ଶକ୍ତ ଧକ୍କା। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଧମାନଗର ଉପ ନିର୍ବାଚନ ପାଇଁ  ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ନେତା ରାଜେନ୍ଦ୍ର ଦାସ। ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ପଦଯାତ୍ରାରେ ସମର୍ଥକଙ୍କ ସହ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି। ରାଜୁଙ୍କ ସାଙ୍ଗରେ ତାଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ।

ରାଜେନ୍ଦ୍ର ଦାସ ନାମାଙ୍କନ ଦାଖଲ ନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ବିଜୁ ଜନତା ବୃହତ୍ତ ଦଳ। ଏପରି କିଏ ଗୋଟିଏ ଦଳରୁ ବାହାରିଲେ ଗଲେ ଫରକ ପଡ଼ିବନି। ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଦିଅନ୍ତି, ଆମେ ତାହା ମାନି ଚଳୁ।  ବିଜେଡି ଅଧିକ ଭୋଟରେ ଧାମନଗର ନିର୍ବାଚନ ଜିତିବ।

ଅନ୍ୟପକ୍ଷରେ ଆଜି ବିରାଟ ଶୋଭାଯାତ୍ରରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ମଧ୍ୟ ନିଜର ନାମାଙ୍କନ ଦାଖଲ କରିବେ।

ରାଜେନ୍ଦ୍ର ବିଜେଡି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଆଶ୍ରାୟୀ ଥିଲେ।  ହେଲେ ଏହି ଆଶ ପାଣି ଫୋଟକା ଫାଟି ଯାଇଥିଲା। ରାଜୁଙ୍କ ଉପସ୍ଥିତିରେ ବିଜେଡି ଅବନ୍ତୀ ଦାସଙ୍କୁ  ପ୍ରାର୍ଥୀ ଘୋଷଣା କରିଥିଲା।  ରାଜୁ ସେତେବେଳେ ଏହାକୁ ସମର୍ଥନ କରିଥିଲେ। ହେଲେ ଭୁବନେଶ୍ୱରରୁ ଫେରି ଭଦ୍ରକରେ ପହଞ୍ଚିବା ପରେ ସ୍ଥିତି ବଦଳି ଯାଇଥିଲା।

ଏହାସହ ସେ ଗତକାଲି ଏକ ଲୁହ ଭିଜା ଚିଠି ଲେଖି ଧାମନଗରବାସୀଙ୍କୁ ସେମାନଙ୍କ ମତ ମାଗିଥିଲେ। ଏପରିକି ତାଙ୍କ ପ୍ରତି ୨୦୧୯ରେ କିଭଳି ଅନ୍ୟାୟ କରାଯାଇଥିଲା, ତାହା ମଧ୍ୟ ସେ ଏଥିରେ ଉଲ୍ଲେଖ କରିଥିଲେ।  ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିବାରୁ ବିଜେଡିର ଏକ ଟିମ୍ ପହଞ୍ଚି ରାଜେନ୍ଦ୍ର ଓ ତାଙ୍କ ସମର୍ଥକଙ୍କୁ ବୁଝାସୁଝା କରିଥିଲା। ହେଲେ ରାଜେନ୍ଦ୍ରଙ୍କର ମାନଭଞ୍ଜନ ହୋଇପାରି ନଥିଲା।  ରାଜେନ୍ଦ୍ର ନିଜ ଜିଦ୍‌ରେ ଅଟଳ ଥିଲେ।

ଧାମନଗନର ଉପନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ଦାଖଲର ଶେଷ ଦିନ। ବିଜେପି ପକ୍ଷରୁ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ହୋଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।