ଡାକ୍ତରଖାନା ପରିସରରେ ମୃତ ଶିଶୁକୁ ଖାଇଗଲା କୁକୁର

ବ୍ରହ୍ମପୁର (ଜଗନ୍ନାଥ ସାହୁ):  ଭୁଲିଗଲେ ମମତା। ହୋଇଗଲେ ବିବେକହୀନ। ମୃତ ଶିଶୁକୁ ସତ୍କାର କରିବାକୁ ବି ଉଚିତ ମଣିଲେନି। ପକାଇଦେଇଗଲେ ଡଷ୍ଟବିନ୍‌ରେ। ଏହା ପରେ ଯାହା ଘଟିଲା, ସେହି ଦୃଶ୍ୟ ଥିଲା ଅତି ଭୟଙ୍କର ଓ ବିଭତ୍ସ। ଦିନର ଆଲୁଅରେ ମୃତ ଶିଶୁକୁ ଝୁଣି ଝୁଣି ଖାଉଥିଲେ କୁକୁର। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଦେଖିବାକୁ ମିଳିଛି।

ଆଜି ସକାଳ ୮ରୁ ୯ଟା ହେବ। ଏମ୍‌କେସିଜି ମେଡ଼ିକାଲର ରେଡିଓ ଡାଇଗ୍ନୋଷ୍ଟିକ୍‌ ୱାର୍ଡ ସମ୍ମୁଖରେ ଥିବା ଡଷ୍ଟବିନ୍‌ରେ ପଡ଼ିଥିବା ଏକ ମଲା ଛୁଆକୁ କୁକୁର ଟାଣି ଆଣି ଖାଉଥିଲେ। ଏପରିକି କୁଆମାନେ ମଧ୍ୟ ଖୁମ୍ପି ଖୁମ୍ପି ଖାଉଥିବା ଦେଖିବାକୁ ମିଳିଥିଲା। ଫଳରେ ଶିଶୁର ଶରୀର ଓ ମୁଣ୍ଡ ଅଲଗା ହୋଇ ଯାଇଛି। ମଲା ଶିଶୁର ବୟସ ୬ ମାସ ହେବ ବୋଲି ଅନୁମାନ କରାଯାଉଛି। ତା’ର ପରିଚୟ ଜଣାପଡ଼ିନାହିଁ। ତେବେ କିଏ ଓ କାହିଁକି ଡଷ୍ଟବିନ୍‌କୁ ମଲା ଶିଶୁକୁ ଫିଙ୍ଗିଲା, ତାହା ଜଣାପଡ଼ିନାହିଁ।