ଦୁର୍ଘଟଣା ପରେ ଟିପ୍ପର ଡ୍ରାଇଭରକୁ ପିଟି ପିଟି ମାରିଦେଲେ!

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଦୁର୍ଘଟଣାରେ ବାଇକ‌ ଆରୋଗୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ଟିପ୍ପର ଡ୍ରାଇଭରକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୨ଟି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପାଟପୁର ଥାନା ହାଡୁପଡ଼ା କାହ୍ନୁଚରଣ ଜେନା କୌଣସି କାମରେ ବାଇକ୍‌ରେ ଯାଉଥିଲେ। ତେବେ ଡେଙ୍ଗାଡି ରଙ୍ଗୁଣୀ ଛକରେ ରାମଚନ୍ଦ୍ରପୁର ଗାଁରୁ ମାଟି ବୋଝେଇ କରି ଆସୁଥିବା ଟିପ୍ପର କାହ୍ନୁଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ କାହ୍ନୁଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟିପ୍ପର ଡ୍ରାଇଭରକୁ ଟାଣି ଆଣି ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଟିପ୍ପର ମଦ ପିଇ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ପାଟପୁର ଥାନା ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ମୃତ ଡ୍ରାଇଭରଙ୍କ ପରିଚୟ ଜଣାପଡ଼ି ନାହିଁ। ଏବେ ମଧ୍ୟ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।